ବଣାଇଁ,୨୮ା୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ସମରଦରି ଛକ ନିକଟରେ ହାଇଓ୍ବା ଧକ୍କାରେ ରାଉରକେଲାର ଏନ୍ଆଇଟି ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଛାତ୍ରୀ ଗୁରୁତର ଅବସ୍ଥାରେ ରାଉରକେଲାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ମୃତ ଛାତ୍ର ଜଣକ ହେଲେ କାର୍ତ୍ତିକେୟନ ସେନ୍ଥିଲ କ୍ରିଷ୍ଣନ ଓ ସେ ଇଲ୍କ୍ଟ୍ରୋନିକ ଟେଲିକମ୍ୟୁନିକେଶନର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ସେହିଭଳି ଗୁରୁତର ଛାତ୍ରୀ ଜଣକ ହେଲେ ବାସନ୍ତୀ କାର୍ତ୍ତିକ ନାରାୟଣ। ସେ ମଧ୍ୟ ଗୁରୁତର ଥିବାରୁ ତାଙ୍କୁ ଉଦ୍ଧାର କରି ଲହୁଣୀପଡ଼ା ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି l
ପ୍ରାପ୍ତ ସୂଚନା ମୁତାବକ ରାଉରକେଲା ଏନ୍ଆଇଟି କଲେଜରୁ ଆଜି ୬ ଜଣ ଛାତ୍ରୀ ଓ ୧୦ ଜଣ ଛାତ୍ର ଭଡ଼ାରେ ମିଳୁଥିବା ୮ଟି ସ୍କୁଟିରେ ଖଣ୍ଡାଧାର ଜଳପ୍ରପାତ ବୁଲିବାକୁ ଆସୁଥିଲେ। ୧୪୩ ନଂ ଜାତୀୟ ରାଜପଥର ସମରଦରି ଛକ ନିକଟରେ ରାଜାମୁଣ୍ଡା ଆଡୁ ରଙ୍ଗ ସାଇଡ୍ରୁ ଆସୁଥିବା ଓଡି ୧୪ ଏ ଏଚ୍-୨୨୧୫ ନମ୍ବର ବିଶିଷ୍ଟ ଏକ ହାଇଓ୍ବା ସାମ୍ନା ପଟରୁ ଓଡି୧୫ ଏଇ – ୪୬୯୫ ସ୍କୁଟିକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ସ୍କୁଟି ଚାଳକ କାର୍ତ୍ତିକେୟନ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ପଛରେ ବସିଥିବା ଛାତ୍ରୀ ବାସନ୍ତୀ ଗୁରୁତର ହୋଇଥିଲେ। ସାଙ୍ଗରେ ଥିବା ଅନ୍ୟ ଛାତ୍ରୀଛାତ୍ର ପୋଲିସକୁ ଖବର ଦେବା ପରେ ଲହୁଣୀପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଥିବା ଛାତ୍ରୀଙ୍କୁ ଆମ୍ବୁଲାନ୍ସରେ ପ୍ରଥମେ ଲହୁଣୀପଡ଼ା ଚିକିତ୍ସାଳୟ ଓ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି। ଛାତ୍ରଙ୍କ ମୃତଦେହ ଚିକିତ୍ସାଳୟରେ ଅଛି l ଘଟଣାସ୍ଥଳରେ ପୋଲିସ ହାଇଓ୍ବା ଓ ସ୍କୁଟିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି।