ବଲାଙ୍ଗୀର,୧୦।୨(ସୁନିଲ କୁମାର ମହାନ୍ତି): ଜାମିନ ପାଇବା ପରେ ନିଶା ମହାରଣା ବିସ୍ଫୋରକ ବୟାନ ଦେଇ କହିଛନ୍ତି, ମୁଁ ପୁଣି ମଞ୍ଚ ଚଢ଼ିବି। କୌଣସି ମଞ୍ଚରେ ଅଶ୍ଳୀଳ ନୃତ୍ୟ କରିବିନି, କିନ୍ତୁ ଆଇଟମ ନାଚିବି। ହଟ୍ କଷ୍ଟ୍ୟୁମ ପିନ୍ଧିବି, ଆଇଟମ ଜଲୱା ଦେଖାଇବି। ଚନ୍ଦନଭାଟି ନୃତ୍ୟ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖି ନିଶା କହିଛନ୍ତି, କମିଟି ସଦସ୍ୟ ମୋତେ ହଟ୍ ଆଇଟମ ପ୍ରଦର୍ଶନ ପାଇଁ କହିଥିଲେ।ସବୁ କମିଟି ମୋତେ ଅଶ୍ଳୀଳ ପ୍ରଦର୍ଶନ ପାଇଁ କୁହନ୍ତି ନାହିଁ।ଯଦି ମୁଁ ସେମାନଙ୍କ କଥା ନ ମାନିବି, ତାହେଲେ ମୋ ପାଇଁ ଅସୁବିଧା। ମୁଁ ଅଶ୍ଳୀଳ ପ୍ରଦର୍ଶନ କରିବିନି, ଯଦି ଆଉ କିଏ କଲା ମୁଁ ଅଭିଯୋଗ କରିବି ବୋଲି ନିଶା କହିଛନ୍ତି।
ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁର ଏକ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାକୁ ନେଇ କିଛି ଦିନ ତଳେ ନିଶା ମହାରଣାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ନିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ସର୍ତ୍ତମୂଳକ ଆଗୁଆ ଜାମିନ ଦେଇଥିଲେ । ଆଜି ନିଶା ବଲାଙ୍ଗୀର ଏସଡ଼ିଜେଏମ କୋର୍ଟରେ ହାଜର ହେବା ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଥିଲା। ଏଭଳି ୨ ଆୟୋଜକଙ୍କୁ ମଧ୍ୟ ବଲାଙ୍ଗୀର ପୋଲିସ ଗିରଫ କରିଥିଲା। ତେବେ ଗିରଫ ଭୟରେ ଆଗୁଆ ଜାମିନ ଆବେଦନ କରିଥିଲେ ନିଶା ମହାରଣା। ଜାମିନ ପାଇବା ପରେ ଆଜି ମଙ୍ଗଳବାର ବଲାଙ୍ଗୀର ଏସଡିଜେଏମ କୋର୍ଟରେ ଆତ୍ମ ସମର୍ପଣ କରିଥିଲେ।