କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ସେମାନେ ବିଜେଡି ଛାଡ଼ି ଭାଜପାକୁ ଯିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ସେମାନେ ହେଲେ ବରୋଦା ପ୍ରସନ୍ନ ଦାସ ଉପାଧ୍ୟକ୍ଷ, ଶରତ କୁମାର ସାହୁ (୧ ନମ୍ବର), ଅଭିନାଶ ମିଶ୍ର ( ୭), ଦୟାନିଧି ପାତ୍ର (୮), ପଦ୍ମିନୀ ପାତ୍ର (୧୦), ଭଗବାନ ନାଏକ(୧୫), ସବିତା ପଟ୍ଟନାୟକ( ୧୬), ହେମନ୍ତ କୁମାର ପତି( ୨୧) ଓ କରୁଣା କର ମାରାଣ୍ଡି (୧୨) ବୋଲି ଜଣା ପଡ଼ିଛି।
ସେହିପରି ସାଧାରଣ ସମ୍ପାଦକ ପଦରୁ ଶୁଭେନ୍ଦ୍ର ପଟ୍ଟନାୟକ, ବରୋଦା ଦାସ, ଶରତ ସାହୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଦଳରେ ସାମୟିକ ପ୍ରଭାବ ରହିଛି କିନ୍ତୁ ଦୀର୍ଘକାଳୀନ ପ୍ରଭାବ ପଡିବ ନାହିଁ ବୋଲି ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ କହିଛନ୍ତି । ଅନ୍ୟ କାଉନସିଲରମାନେ କେନ୍ଦୁଝରରେ ଅଛନ୍ତି ବୋଲି କହିଛନ୍ତି । ଫଳରେ କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା ଲାଗିଛି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ ।
ପ୍ରକାଶଯେ, କେନ୍ଦୁଝର ଗଡ ପୌରପାଳିକାରେ ୨୧ ୱାର୍ଡରୁ ୧୩ଟି ୱାର୍ଡରେ ବିଜେଡ଼ି ଜିତିଥିବା ବେଳେ ଭାଜପା ୮ ଟି ୱାର୍ଡରେ ଥିଲେ। ପୌରାଧ୍ୟକ୍ଷା ପଦରେ ଭାଜପାର ନିକୁ ସାହୁ ଜିତି ଥିଲେ। ସେହିପରି ଉପାଧ୍ୟକ୍ଷ ପଦରେ ବିଜେଡିର ବରୋଦା ଦାସ ଜିତିଥିଲେ। ଏବେ ସେମାନେ ଭାଜପାରେ ମିଶିଲେ ପଦ ରହିଯିବା ଯଥେଷ୍ଟ ସମ୍ଭାବନା ଅଛି ବୋଲି ରାଜନୈତିକ ସମୀକ୍ଷକ ମତ ବ୍ୟକ୍ତ କରୁଛନ୍ତି। ସୂଚନା ଯୋଗ୍ୟଯେ, ଭାଜପା ରାଜ୍ୟରେ ଆସିବା ସହ ସଦର ନିର୍ବାଚନ ମଣ୍ଡଳୀର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଘୋଷଣା ପରେ ବହୁ ଅଣ ଭାଜପା ଦଳ ମୁହାଁ ହୋଇଥିଲେ । ରାଜନୈତିକ ନେତାମାନଙ୍କ ମଧ୍ୟରେ ସେଭଳି ବଡ ଦଳ ପରିବର୍ତ୍ତନ ହୋଇ ନଥିଲା। ଏଣୁ କେନ୍ଦୁଝର ଜିଲାର ରାଜନୀତି ଉପରେ ସମସ୍ତ ଙ୍କ ନଜର ରହିଥିଲା। ତେବେ ବର୍ତ୍ତମାନ ୯ ଜଣ ବିଜେଡି କାଉନସିଲର ଇସ୍ତଫା ଦେବା ପରେ ଚର୍ଚ୍ଚା ବଢ଼ିବାରେ ଲାଗିଛି ।
ସୋମବାର ଦିନ ଭୁବନେଶ୍ୱରଠାରେ ସମସ୍ତ କାଉନ୍ସିଲରମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଭାଜପାର ମିଶିବେ ବୋଲି ବିଶେଷ ସୂତ୍ରରୁ ଜଣା ପଡିଛି । ଏପଟେ ଇସ୍ତଫା ଦେଇଥିବା ୯ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ବିଜେଡି କାଉନ୍ସିଲର ଭୁବନେଶ୍ଵରରେ ଡେରା ପକାଇଥିବା ସୂଚନା ମିଳିଛି। ଦଳୀୟ ନେତାଙ୍କ ଉପରେ ଅସନ୍ତୁଷ୍ଟ ମୁଖ୍ୟ କାରଣରୁ ଏଭଳି ଇସ୍ତଫା ପତ୍ର ଦେଇଥିବା କୁହାଯାଇଛି । ପୌର ନିର୍ବାଚନ ଆଉ ପ୍ରାୟ ଏକ ବର୍ଷ ଥିବା ବେଳେ ବିଜେଡି ନେତା ଶଙ୍ଖ ଛାଡ଼ି ପଦ୍ମ ଧରିବା କେତେଦୂର ଦଳ ଫଳ ପ୍ରଦ ହେବ ଏବଂ ଭୋଟର କିଭଳି ଗ୍ରହଣ କରିବେ ତାହା ଆଗାମୀ ଦିନ ସ୍ପଷ୍ଟ ହୋଇଯିବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।
Dharitri – Odisha’s No.1 Odia Daily