Posted inଜାତୀୟ

ନ୍ୟୁଜ୍‌କ୍ଲିକ୍‌ ଅଫିସ ସିଲ୍‌

ନୂଆଦିଲ୍ଲୀ,୪ା୧୦: ଭାରତରେ ଚାଇନା ସପକ୍ଷବାଦୀ ପ୍ରଚାର ଅଭିଯାନ ଚଳାଇବା ପାଇଁ ପାଣ୍ଠି ଗ୍ରହଣ ଅଭିଯୋଗରେ ଅନ୍‌ଲାଇନ୍‌ ନ୍ୟୁଜ୍‌ ପୋର୍ଟାଲ ନ୍ୟୁଜ୍‌କ୍ଲିକ୍‌ ଉପରେ ମଙ୍ଗଳବାର ଦିଲ୍ଲୀ ପୋଲିସ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି। ପୋଲିସର ସ୍ପେଶାଲ ସେଲ୍‌ ପକ୍ଷରୁ ୫ ସହରର ୧୦୦ ସ୍ଥାନରେ ଚଢ଼ାଉ କରାଯାଇଛି। ନୂଆଦିଲ୍ଲୀସ୍ଥିତ ନ୍ୟୁଜ୍‌କ୍ଲିକ୍‌ ଅଫିସକୁ ପୋଲିସ ସିଲ୍‌ କରିଦେଇଥିବାବେଳେ ଦିଲ୍ଲୀ, ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ମୁମ୍ବାଇରେ ଥିବା ଏହାର ଖବରଦାତାମାନଙ୍କ ଘରେ ବ୍ୟାପକ ଯାଞ୍ଚ କରିଛି। ସେମାନଙ୍କ ଲାପ୍‌ଟପ୍‌ ଓ ମୋବାଇଲ ଜବତ କରାଯାଇଛି। ନ୍ୟୁଜ୍‌କ୍ଲିକ୍‌ ମୁଖ୍ୟ ପ୍ରବୀର ପୁରକାୟସ୍ଥଙ୍କ ସମେତ ଜର୍ନାଲିଷ୍ଟମାନଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ମାମଲା ରୁଜୁ ହୋଇଛି। ପ୍ରବୀର ଏବଂ ନ୍ୟୁଜ୍‌କ୍ଲିକ୍‌ର ମାନବସମ୍ବଳ ଅଧିକାରୀ ଅମିତ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି। ସେହିପରି ଊର୍ମିଳେଶ ଓ ଅଭିସାର ଶର୍ମାଙ୍କ ସମେତ କେତେଜଣ ଜର୍ନାଲିଷ୍ଟଙ୍କୁ ପଚରାଉଚରା ପାଇଁ ଲୋଧି ରୋଡ୍‌ ସ୍ପେଶାଲ ସେଲ୍‌କୁ ନିଆଯାଇଛି। ସେମାନଙ୍କ ବିଦେଶ ଯାତ୍ରା, ଶାହିନବାଗ୍‌ ବିକ୍ଷୋଭ, କୃଷକ ଆନ୍ଦୋଳନ ଓ ଅନ୍ୟ କେତେକ ପ୍ରସଙ୍ଗରେ ୨୫ଟି ପ୍ରଶ୍ନ କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି। ତେବେ ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ତଲାସି କରାଯାଇଥିଲା। କେନ୍ଦ୍ର ସରକାର ଗଣତନ୍ତ୍ରର କଣ୍ଠରୋଧ ଉଦ୍ୟମ ଚଳାଇଥିବା କଂଗ୍ରେସ, ଆମ୍‌ ଆଦ୍‌ମୀ ପାର୍ଟି (ଏଏପି), ସମାଜବାଦୀ ପାର୍ଟି (ଏସ୍‌ପି) ସମେତ ବିରୋଧୀ ଦଳଗୁଡ଼ିକ ଟାର୍ଗେଟ କରିଥିବାବେଳେ ପ୍ରେସ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆ (ପିସିଆଇ) ପକ୍ଷରୁ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ନିନ୍ଦା କରାଯାଇଛି।
ନ୍ୟୁଜ୍‌କ୍ଲିକ୍‌ ଓ୍ବେବ୍‌ସାଇଟ୍‌ ଭାରତରେ ଚାଇନା ସପକ୍ଷବାଦୀ ପ୍ରଚାର ଅଭିଯାନ ଚଳାଇବା ପାଇଁ ଆମେରିକୀୟ ମିଲିୟନେୟାର ନେଭିଲେ ରୟ ସିଂଘମ୍‌ଙ୍କଠାରୁ ଅର୍ଥ ଗ୍ରହଣ କରିଥିବା ନିକଟରେ ଅଭିଯୋଗ ହୋଇଥିଲା। ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ନ୍ୟୁଜ୍‌କ୍ଲିକ୍‌ ଅଫିସ ପରିସରରେ ପାଣ୍ଠିର ଉତ୍ସ ଉପରେ ତଦନ୍ତ ପାଇଁ ଚଢ଼ାଉ କରାଯାଇଥିଲା। କେନ୍ଦ୍ରୀୟ ଏଜେନ୍ସି ଇଡି ଦେଇଥିବା ତଥ୍ୟ ଅନୁସାରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ ଚଢ଼ାଉ କରିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।
ନ୍ୟୁଜ୍‌କ୍ଲିକ୍‌ ପାଇଥିବା ୩୮ କୋଟି ଟଙ୍କାରେ ସାମାଜିକ କର୍ମୀ ତୀସ୍ତା ସୀତଲଓ୍ବ୍‌ାଡ୍‌ଙ୍କ ସମେତ ଖବରଦାତା ଭାଷା ସିଂ, ଊର୍ମିଳେଶ, ଡି. ରଘୁନନ୍ଦନ, ପରଞ୍ଜୟ ଗୁହା ଠାକୁର୍ତା, ଅଭିସାର ଶର୍ମା, ଅନିନ୍ଦ୍ୟୋ ଚକ୍ରବର୍ତ୍ତୀ, ମହେଶ କୁମାର, ସୁବୋଧ ବର୍ମା, ଅଦିତି ନିଗମ ଓ ମୁକୁନ୍ଦ ଝା ପ୍ରମୁଖ ଖବରଦାତାଙ୍କୁ ଦରମା ଦିଆଯାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସନ୍ଦେହ କରୁଛି। ଗତ ଅଗଷ୍ଟ ୧୭ରେ ଦିଲ୍ଲୀ ହାଇକୋର୍ଟ ଏକ ଆବେଦନ ଉପରେ ନ୍ୟୁଜ୍‌କ୍ଲିକ୍‌ ମୁଖ୍ୟ ପୁରକାୟସ୍ଥଙ୍କୁ ଜବାବ ମାଗିଥିଲା। ଇତିମଧ୍ୟରେ ମଙ୍ଗଳବାର ସକାଳ ୬ଟାରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ର ପ୍ରାୟ ୫୦୦ ଅଧିକାରୀ ଓ କର୍ମଚାରୀ ଏକକାଳୀନ ୫ ସହରରେ ଚଢ଼ାଉ କରିଥିଲେ। ନ୍ୟୁଜ୍‌କ୍ଲିକ୍‌ ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ଥଙ୍କୁ ଉକ୍ତ ଗଣମାଧ୍ୟମ ସଂସ୍ଥାର ଦକ୍ଷିଣ ଦିଲ୍ଲୀ ଅଫିସକୁ ନେଇଯାଇଥିଲେ। ସେଠାରେ ଏକ ଫୋରେନ୍‌ସିକ୍‌ ଟିମ୍‌ ମଧ୍ୟ ତନାଘନା ଚଳାଇଛି।
ସ୍ପେଶାଲ ସେଲ୍‌ ଟିମ୍‌ ଜର୍ନାଲିଷ୍ଟ ଅଭିସାର ଶର୍ମାଙ୍କୁ ତାଙ୍କ ଘରେ ପଚରାଉଚରା କରିବା ପରେ ନୋଏଡା ଏକ୍ସଟେନ୍‌ଶନ୍‌କୁ ନେଇଛି। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଗତ ଅଗଷ୍ଟ ୧୭ରେ ଆତଙ୍କବାଦ ନିରୋଧୀ ଆଇନ ୟୁଏପିଏ ଏବଂ ଆଇପିସି ଦଫା ୧୩୫ଏ(ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁଭାବ ବୃଦ୍ଧି), ୧୨୦ବି(ଆପରାଧିକ ଷଡ଼ଯନ୍ତ୍ର) ବଳରେ ରୁଜୁ ଏକ ମାମଲାକୁ ଭିତ୍ତିକରି ମଙ୍ଗଳବାର ସକାଳେ ଚଢ଼ାଉ ଆରମ୍ଭ ହୋଇଥିଲା। ଖବରଦାତା ଭାଷା ସିଂ ତାଙ୍କ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଥିବା ନେଇ ଏକ୍ସ’ରେ ପ୍ରକାଶ କରିଛନ୍ତି। ଐତିହାସିକ ସୋହାଇଲ୍‌ ହାସମିଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି। ସକାଳ ୬ଟାରେ ତାଙ୍କ ଶୟନକକ୍ଷକୁ ୬ ପୋଲିସ ଅଧିକାରୀ ଧସେଇ ପଶିଥିବା ସୋହାଇଲଙ୍କ ଭଉଣୀ ଶବନମ୍‌ ହାଶମି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ପୋଲିସ ଟିମ୍‌ ୨ ଘଣ୍ଟା ପଚରାଉଚରା ପରେ ଐତିହାସିକଙ୍କ କମ୍ପ୍ୟୁଟର, ଫୋନ୍‌, ହାର୍ଡଡିସ୍କ ଏବଂ ଫ୍ଲାସ୍‌ ଡ୍ରାଇଭ୍‌କୁ ଜବତ କରିଛି। ଇତିମଧ୍ୟରେ ଊର୍ମିଳେଶଙ୍କ ଓକିଲ ସ୍ପେଶାଲ ସେଲ୍‌ ଅଫିସ ବାହାରେ ୧୦ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ମହକିଲଙ୍କ ସହ ସାକ୍ଷାତ୍‌ ଅନୁମତି ମିଳି ନ ଥିବା କହିଛନ୍ତି। ଏପରି କି ତାଙ୍କୁ ଏଫ୍‌ଆଇଆର୍‌ କପି ମଧ୍ୟ ଦିଆଯାଇ ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି।
କଂଗ୍ରେସ ମିଡିଆ ଆଣ୍ଡ୍‌ ପବ୍ଲିସିଟି ବିଭାଗ ମୁଖ୍ୟ ପବନ ଖେରା କହିଛନ୍ତି, ବିହାରରେ ଜାତିଗତ ଜନଗଣନାରୁ ମିଳିଥିବା ବିସ୍ଫୋରକ ତଥ୍ୟ ଆଧାରରେ ଦେଶବାପୀ କାଷ୍ଟ୍‌ ସେନ୍‌ସସ୍‌ କରାଯାଉ ବୋଲି ଦାବି ଉଠିବା ପରେ ସେଥିରୁ ଧ୍ୟାନ ହଟାଇବା ପାଇଁ ନ୍ୟୁଜ୍‌କ୍ଲିକ୍‌ର ଖବରଦାତାମାନଙ୍କ ଘରେ ଭୋର ସକାଳେ ଚଢ଼ାଉ କରାଯାଇଛି। ସେ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି) ଯେତେବେଳେ ପାଠ୍ୟକ୍ରମ ବହିର୍ଭୂତ ପ୍ରଶ୍ନର ସାମ୍ନା କରନ୍ତି, ସେତେବେଳେ ନିଜ ସିଲାବସ୍‌ର ଡିଷ୍ଟ୍ରାକ୍ସନ (ଧ୍ୟାନ ହଟାଇବା କୌଶଳ)କୁ ବ୍ୟବହାର କରିଥାଆନ୍ତି ବୋଲି ପବନ ଏକ୍ସ’ରେ ସମାଲୋଚନା କରିଛନ୍ତି। ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ଏହାକୁ ଭାଜପା ପରାଜୟର ଏକ ସଙ୍କେତ ରୂପେ ଅଭିହିତ କରିଛନ୍ତି। ଏକ୍ସ’ରେ ଅଖିଳେଶ ଲେଖିଛନ୍ତି, ଏଥିରେ ନୂତନତ୍ୱ ନାହିଁ। ଭାଜପା ଶାସକମାନେ ସବୁବେଳେ ସଚ୍ଚୋଟ ଖବରଦାତାମାନଙ୍କ ଉପରେ ଚଢ଼ାଉ କରିଥାଆନ୍ତି। କିନ୍ତୁ ସରକାରୀ ପ୍ରଚାର ପ୍ରସାର ନାମରେ ‘ମିତ୍ର ଚ୍ୟାନେଲଗୁଡ଼ିକୁ’ କେତେ କୋଟି ଟଙ୍କା ଦିଆଯାଉଛି, ଏହାର ବି ହିସାବ ସାମ୍ନାକୁ ଆସିବା ଉଚିତ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଏଏପି ମତରେ ଖବରଦାତାମାନଙ୍କ ଭୟରେ ଏହି ଭାଜପା ନେତୃତ୍ୱାଧୀନ ଚଢ଼ାଉ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଜଣେ ଭୀରୁ। ତାଙ୍କ ସରକାର ଖବରଦାତାମାନଙ୍କୁ ଗିରଫକରି ଚାଇନା ବିରୋଧରେ ଲଢ଼ୁଥିବାର ଛଳନା କରୁଛନ୍ତି। ସିପିଆଇଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଚଢ଼ାଉକୁ ନିନ୍ଦାକରି କହିଛନ୍ତି, ଅଭିବ୍ୟକ୍ତି ସ୍ବାଧୀନତାର ମୌଳିକ ଅଧିକାର ଉପରେ ଏହା ଏକ ଆକ୍ରମଣ। ୟେଚୁରୀଙ୍କ ସରକାରୀ ବାସଭବନ ଥିବା ପଣ୍ଡିତ ରବିଶଙ୍କର ଶୁକ୍ଳା ଲେନ୍‌ରେ ଖବରଦାତା ନାରାୟଣ ରୁହନ୍ତି। ସେଠାରେ ମଧ୍ୟ ପୋଲିସ ଚଢ଼ାଉ କରିଛି। ଏନେଇ ୟେଚୁରୀ କହିଛନ୍ତି, ପୋଲିସ ୨ ଘଣ୍ଟା ଧରି ପଚରାଉଚରା କରିଥିଲା। କିଛି ନ ପାଇବାରୁ ନାରାୟଣଙ୍କ ପୁଅ ସୁମିତଙ୍କ ଲାପ୍‌ଟପ୍‌ ଓ ମୋବାଇଲକୁ ନେଇଯାଇଛି। ପ୍ରେସ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆ (ପିସିଆଇ) ମଧ୍ୟ ଏହା ଉପରେ ଗଭୀର ଚିନ୍ତାବ୍ୟକ୍ତ କରିଛି। ଘଟଣାକ୍ରମ ଉପରେ ନଜର ରଖାଯାଇଛି ଏବଂ ଖବରଦାତାଙ୍କ ସହ ପିସିଆଇ ଛିଡ଼ା ହୋଇଛି ବୋଲି ଏକ ବିବୃତିରେ କୁହାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଭୁବନେଶ୍ୱରରେ କହିଛନ୍ତି, ଦେଶର ତଦନ୍ତକାରୀ ସଂସ୍ଥାଗୁଡ଼ିକ ସ୍ବାଧୀନ। ସେଗୁଡ଼ିକ ଆଇନ ଅନୁସାରେ ନିଜ କାର୍ଯ୍ୟ କରୁଛନ୍ତି। ଯଦି କେହି ଭୁଲ୍‌ କରିଥିବେ ଏଜେନ୍ସିଗୁଡ଼ିକ ତା’ ଉପରେ କାମ କରିବେ। ବେଆଇନ ଭାବେ ଅର୍ଥ ଗ୍ରହଣ କିମ୍ବା ଆପତ୍ତିଜନକ କାର୍ଯ୍ୟ କରିଥିଲେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ତା’ ଉପରେ ତଦନ୍ତ କରିବେନି ବୋଲି କୌଣସି ସ୍ଥାନରେ ଲେଖାଯାଇନାହିଁ ବୋଲି ଅନୁରାଗ କହିଛନ୍ତି। ଏହା ପୂର୍ବରୁ ନ୍ୟୁଜ୍‌କ୍ଲିକ୍‌ର ଅର୍ଥ ଭାରତ ବିରୋଧୀ କାର୍ଯ୍ୟସୂଚୀରେ ଲଗାଯାଇଥିବା ନେଇ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ଅନୁସନ୍ଧାନମୂଳକ ରିପୋର୍ଟ ଆଧାରରେ କେନ୍ଦ୍ରମନ୍ତ୍ରୀ ଅନୁରାଗ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri