
ଦିଗପହଣ୍ଡି,୧୭୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ କଲେଜରେ ପରୀକ୍ଷା ଦେବା ପରେ ଜଣେ ନବବିବାହିତା ପରୀକ୍ଷା କେନ୍ଦ୍ରରୁ ନିଖୋଜ ଥିବା ଜଣାପଡିଛି।ଏନେଇ ସ୍ବାମୀ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ନିଖୋଜ ମାମଲା ନଂ.୧୩/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଥାନା ଏସ.ଆଇ ଦୁଷ୍ମନ୍ତ କୁମାର ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଛାତ୍ରୀ ଜଣକ ଯୁକ୍ତ ୩ କଳା ଶ୍ରେଣୀରେ ପଢୁଥିଲେ। ଗତ ମାର୍ଚ୍ଚ ୫ ତାରିଖରେ ଛାତ୍ରୀଙ୍କ ବିବାହ ହୋଇଥିଲା। ବିବାହ ପରେ ସେ ଶଶୁର ଘରେ ରହୁଥିଲେ। ପ୍ରତିଦିନ ରାତି ରେ ଏକ ମୋବାଇଲ ନମ୍ବରରେ ସେ କଥା ହେଉଥିଲେ। ସ୍ବାମୀ ପଚାରିଲେ ସେ ଜଣେ ସାଙ୍ଗଙ୍କ ସହ କଥା ହେଉଥିବା ସଫେଇ ଦେଉଥିଲେ। ସ୍ବାମୀ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିଲେ। ବୁଧବାର ପରୀକ୍ଷା ଥିବାରୁ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ବାଇକ ଯୋଗେ ଆଣି କଲେଜରେ ଛାଡି ଥିଲେ। ପରୀକ୍ଷା ସରିବା ପରେ ଅପରାହ୍ନରେ ସ୍ତ୍ରୀଙ୍କୁ ନେବା ପାଇଁ କଲେଜକୁ ଆସିଥିବା ବେଳେ ସେ କଲେଜରେ ନ ଥିବା ଜାଣିଥିଲେ। ଏନେଇ ସେ ଆଖପାଖରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ତାଙ୍କ ସ୍ତ୍ରୀ ଘରୁ ପ୍ରାୟ ୫୮ ଗ୍ରାମ ଓଜନର ସୁନା ଗହଣା ଏବଂ ୭୫ ଗ୍ରାମ ଓଜନର ରୁପା ଗହଣା ସାଙ୍ଗରେ ନେଇଯାଇଥିବା ନେଇ ଏତଲାରେ ଉଲ୍ଲେଖ ରହିଛି।