ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍ର ଟାର୍ଗେଟ୍କୁ ଟିମ୍ ସିଫର୍ଟ ଓ ଫିନ୍ ଏଲେନଙ୍କ ଅପରାଜିତ ଓପ୍ନିଂ ଭାଗୀଦାରି ବଳରେ ନ୍ୟୁଜିଲାଣ୍ଡ ୧୫.୨ ଓଭରରେ ବିନା ଉଇକେଟରେ ହାସଲ କରିନେଇଥିଲା।
ଦୁଇ ଓପ୍ନର ଅବିଭାଜିତ ପ୍ରଥମ ଉଇକେଟ ପାଇଁ ୧୭୫ ରନ୍ କରିଥିଲେ। ଏହା ଟି୨୦ ବିଶ୍ୱକପ୍ ଇତିହାସରେ ଯେକୌଣସି ଉଇକେଟ ପାଇଁ ସବୁଠୁ ବଡ଼ ଭାଗୀଦାରି। ଏଥିପୂର୍ବରୁ ଏହି ରେକର୍ଡ ଇଂଲଣ୍ଡର ଯୋଶ୍ ବଟ୍ଲର ଓ ଆଲେକ୍ସ ହେଲ୍ସଙ୍କ ନାମରେ ଥିଲା। ଦୁହେଁ ୨୦୨୨ ଟି୨୦ ବିଶ୍ୱକପ୍ରେ ଭାରତ ବିପକ୍ଷ ସେମିଫାଇନାଲରେ ପ୍ରଥମ ଉଇକେଟ ଲାଗି ୧୭୦ ରନ୍ କରିଥିଲେ।
ଜିତି ବ୍ୟାଟିଂ କରିଥିବା ୟୁଏଇ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୭୩ ରନ୍ କରିଥିଲା। ଏହା ଟି୨୦ ବିଶ୍ୱକପ୍ ଇତିହାସରେ ୟୁଏଇର ସର୍ବାଧିକ ଦଳଗତ ସ୍କୋର। ଦଳ ପକ୍ଷରୁ ଅଧିନାୟକ ମହମ୍ମଦ ଓ୍ବାସିମ ୪୫ ବଲରେ ଅପରାଜିତ ୬୬(୪ ଚୌକା ଓ ୩ ଛକା) ଓ ଅଲିଶାନ ଶରାଫୁ ୪୭ ବଲରେ ୫୫(୫ ଚୌକା ଓ ୨ ଛକା) ରନ୍ କରିଥିଲେ। ନ୍ୟୁଜିଲାଣ୍ଡ ପାଇଁ ମ୍ୟାଟ୍ ହେନ୍ରୀ ୨ ଉଇକେଟ ନେଇଥିଲେ। ଜବାବରେ ସିଫର୍ଟ ଓ ଏଲେନ୍ଙ୍କର ବିସ୍ଫୋରକ ବ୍ୟାଟିଂ ଯୋଗୁ ନ୍ୟୁଜିଲାଣ୍ଡ ୧୫.୨ ଓଭରରେ ବିନା କ୍ଷତିରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।

