ଡାକ୍ତରୀ ଛାତ୍ରୀ ଗଣବଳାତ୍କାର ଘଟଣାରେ ନୂଆମୋଡ଼: ପୀଡ଼ିତା କହିଦେଲେ ସାଂଘାତିକ କଥା, ଅନ୍ୟ କେହି ନୁହେଁ…

କୋଲକାତା,୧୫ା୧୦:ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଏକ ଘରୋଇ ମେଡିକାଲ କଲେଜ ବାହାରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣବଳାତ୍କାର ମାମଲା ମଙ୍ଗଳବାର ନୂଆ ମୋଡ଼ ନେଇଛି। ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଓ୍ବାସିଫ ଅଲ୍ଲୀ ଘଟଣାର ମୁଖ୍ୟ ଖଳନାୟକ ବୋଲି ପୋଲିସ ଜାଣିବାକୁ ପାଇଛି। ମଙ୍ଗଳବାର ସନ୍ଧ୍ୟାରେ ଓ୍ବାସିଫଙ୍କୁ ପୋଲିସ ଗିରଫ କରିଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି।
ବାଲେଶ୍ୱର ଜିଲା ଜଳେଶ୍ୱରର ଏହି ଛାତ୍ରୀ ଜଣକ ଶୁକ୍ରବାର ରାତିରେ ପୁରୁଷ ବନ୍ଧୁଙ୍କ ସହ ମେଡିକାଲ କଲେଜ ବାହାରକୁ ଡିନର କରିବାକୁ ଯାଇଥିବାବେଳେ ବଳାତ୍କାରର ଶିକାର ହୋଇଥିଲେ। ପୁରୁଷ ବନ୍ଧୁ ବଳାତ୍କାର କରିଥିଲେ ବୋଲି ପୀଡ଼ିତାଙ୍କ ବୟାନରୁ ଜଣାପଡ଼ିଛି। ପୀଡ଼ିତାଙ୍କ ବାପା ମଧ୍ୟ ଅଭିଯୋଗରେ ଓ୍ବାସିଫଙ୍କ ନଁା ନେଇଥିଲେ। ତାଙ୍କୁ ମିଶାଇ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬ରେ ପହଞ୍ଚତ୍ଛି। ଓ୍ବାସିଫଙ୍କୁ ବୁଧବାର ସକାଳେ କୋର୍ଟରେ ହାଜର କରାଯିବ ବୋଲି ପୋଲିସ କହିଛି।
ଇତିମଧ୍ୟରେ ପୋଲିସ ଗଣବଳାତ୍କାର ଅଭିଯୋଗକୁ ଖଣ୍ଡନ କରିଛି। ଜଣେ ବ୍ୟକ୍ତି ହିଁ ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର କରିଥିଲେ। ପୀଡ଼ିତାଙ୍କ ବୟାନ, ପ୍ରାରମ୍ଭିକ ଭୌତିକ ପ୍ରମାଣ ଆଦିରୁ ଜଣେ ବ୍ୟକ୍ତି ହିଁ ବଳାତ୍କାର କରିଥିତ୍ବା ସ୍ପଷ୍ଟ ହେଉଛି ବୋଲି ଆସନସୋଲ୍‌-ଦୁର୍ଗାପୁର ପୋଲିସ କମିଶନର ସୁନିଲ କୁମାର ଚୌଧୁରୀ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ତେବେ ଆମେ ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ଜେରା କରିବା ସହ ସବୁ ଦିଗକୁ ଅନୁଧ୍ୟାନ କରୁଛୁ ବୋଲି ସେ କହିଛନ୍ତି।
ପୁରୁଷ ବନ୍ଧୁଙ୍କୁ ଗିରଫ କରାଯିବା ପୂର୍ବରୁ ଅପରାହ୍ନରେ ପୋଲିସ ୫ ଅଭିଯୁକ୍ତଙ୍କ ସହ ତାଙ୍କୁ ଅପରାଧ ସ୍ଥଳକୁ ନେଇ କ୍ରାଇମ୍‌ ସିନ୍‌ର ରିକ୍ରିଏଶନ କରିଥିଲା। କାଳୀବାରି ଶ୍ମଶାନ ନିକଟବର୍ତ୍ତୀ ଜଙ୍ଗଲରେ ଏମ୍‌ବିବିଏସ୍‌ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିଲା। ଅଭିଯୁକ୍ତ ଓ ପୁରୁଷ ବନ୍ଧୁଙ୍କୁ ସେଠାକୁ ନିଆଯାଇ ଶୁକ୍ରବାର ରାତିରେ ଅପରଧ ଘଟାଇବା ବେଳେ ସେମାନେ କ’ଣ ସବୁ କରିଥିଲେ, ତାହା ପୁନର୍ବାର କରିବାକୁ ପୋଲିସ କହିଥିଲା। ସମ୍ପୂର୍ଣ୍ଣ ରିକ୍ରିଏଶନ ଦୃଶ୍ୟର ଭିଡିଓଗ୍ରାଫି କରାଯିବା ସହ ସେମାନଙ୍କ ବୟାନ ରେକର୍ଡ କରାଯାଇଛି। ଏହାକୁ ପୀଡ଼ିତାଙ୍କ ବୟାନ ସହ ଯାଞ୍ଚ୍‌ କରାଯିବ ବୋଲି ତଦନ୍ତକାରୀ ଟିମ୍‌ର ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି। ଅପରାଧ ସ୍ଥଳକୁ ନେବା ପୂର୍ବରୁ ପୀଡ଼ିତାଙ୍କ ବନ୍ଧୁଙ୍କୁ ପୋଲିସ ଘଣ୍ଟାଏ ଧରି ଜେରା କରିଥିଲା। ୨ ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର ସେମାନଙ୍କ ଘରକୁ ନିଆଯାଇ ଅପରାଧ ସହ ସାମିଲ ଥିବା ପ୍ରମାଣକୁ ପୋଲିସ ଖୋଜିଥିଲା।

 

Dharitri – Odisha’s No.1 Odia Daily