ଭୁବନେଶ୍ୱର,୧୨।୧୨: ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗରେ ପ୍ରାୟ ଦୁଇ ଦଶନ୍ଧି ଧରି ପୀଡ଼ିତ ଥିବା କେନ୍ଦ୍ରାପଡ଼ାର ଜଣେ ୩୭ ବର୍ଷୀୟ ଯୁବକଙ୍କ ଜୀବନରେ AIIMS ଭୁବନେଶ୍ୱର ଅର୍ଥୋପେଡିକ୍ ବିଭାଗ ଚମତ୍କାର ଆଣିଛି। ତିନୋଟି ଜଟିଳ ଅସ୍ତ୍ରୋପଚାର ପରେ ଯୁବକଜଣକ ଏକ ନୂତନ ଜୀବନ ଲାଭ କରିଛନ୍ତି।
ବିଶ୍ୱ ଭୂଷଣ ରାଉତ ନାମକ ଏହି ଯୁବକଙ୍କ ମେରୁଦଣ୍ଡ ଏବଂ ଉଭୟ ନିତମ୍ବ ସମ୍ପୂର୍ଣ୍ଣ ମିଶି ଯାଇଥିଲା। ତାଙ୍କ ଶରୀର ୧୫୦-ଡିଗ୍ରୀ ବଙ୍କି ଯାଇଥିବାରୁ ମୁହଁ ପ୍ରାୟ ଜଙ୍ଘକୁ ଛୁଇଁଲା ଭଳି ହୋଇଯାଇଥିଲା। ଫଳରେ ସେ ଚାଲିବା, ବସିବା ଏବଂ ଶୋଇବାରେ ଅତ୍ୟନ୍ତ କଷ୍ଟ ଅନୁଭବ କରୁଥିଲେ। ଅନେକ ହସ୍ପିଟାଲ ଏହି ଜଟିଳ ମାମଲାକୁ ଗ୍ରହଣ କରିପାରିନଥିଲେ।
AIIMS ଭୁବନେଶ୍ୱରର ଅର୍ଥୋପେଡିକ୍ସ ବିଭାଗୀୟ ସହକାରୀ ପ୍ରଫେସର୍ ଡ. ଦୀପକ ନେରାଡି ଏବଂ ଡ. ଗୁରୁଦୀପ ଦାସ ବିଭାଗୀୟ ମୁଖ୍ୟ ଡ. ବିଷ୍ଣୁ ପ୍ରସାଦ ପାତ୍ରଙ୍କ ମାର୍ଗଦର୍ଶନରେ ଏହି ଜଟିଳ ଅସ୍ତ୍ରୋପଚାର କରିଥିଲେ। ନ୍ୟୁରୋମନିଟରିଂ ଭଳି ଉନ୍ନତ ଉପକରଣ ବ୍ୟବହାର କରି ତାଙ୍କର ଦୁଇଟି ହିପ୍ ରିପ୍ଲେସମେଣ୍ଟ ଏବଂ ମେରୁଦଣ୍ଡ ବିକୃତି ସଂଶୋଧନ ସଫଳତାର ସହିତ ସମ୍ପନ୍ନ କରାଯାଇଛି।
ବେସରକାରୀ ହସ୍ପିଟାଲରେ ୨୫ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଏହି ଚିକିତ୍ସା ଶ୍ରୀ ରାଉତଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ମାଗଣାରେ ମିଳିଛି।
ତିନୋଟି ଅସ୍ତ୍ରୋପଚାର ପରେ ଯୁବକଜଣକ ବର୍ତ୍ତମାନ ସ୍ୱାଭାବିକ ଭାବରେ ବସିପାରୁଛନ୍ତି, ଠିଆ ହୋଇପାରୁଛନ୍ତି ଏବଂ ସିଧା ଆଗକୁ ଚାହିଁ ପାରୁଛନ୍ତି, ଯାହା ତାଙ୍କ ଜୀବନର ଗୁଣବତ୍ତାରେ ବହୁତ ବଡ଼ ଉନ୍ନତି ଆଣିଛି। AIIMS କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ ସଫଳ ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।