ନନ୍ଦପୁର,୧।୩(ତୁଷାର କାନ୍ତ ମହାନ୍ତି): ମାର୍ଚ୍ଚ ମାସର ପ୍ରଥମଦିନରେ ଦୁର୍ବଳ ନେଟୱର୍କ ସେବା ଜନ ଜୀବନକୁ ପ୍ରଭାବିତ କରିଛି। ଶନିବାର ସକାଳୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ସମେତ ବ୍ଲକ ଅଧୀନ ୨୩ ପଞ୍ଚାୟତ ଅଞ୍ଚଳରେ ବିଏସଏନଏଲ୍ ନେଟୱର୍କ ନାହିଁ । ରବିବାର ସକାଳ ୮ ଘଣ୍ଟିକ ଠାରୁ ଜିଓ ନେଟୱର୍କ ସେବା ଦୁର୍ବଳ ରହିଛି ।
ଆର୍ଥିକ ବର୍ଷଶେଷର କାର୍ଯ୍ୟ, ରବିବାର ଛୁଟିଦିନ, ଟି-ଟ୍ୱେଣ୍ଟୀ ୱାର୍ଲ୍ଡକପ୍ ମାନିଆ ଥିବା ବେଳେ ଟିଭି ମୋବାଇଲ ନ ଚାଲିବା, କଲ୍ ମେସେଜ ନଯିବା, ସିଏସସି ଗୁଡିକରେ କମ୍ପ୍ୟୁଟରରେ କୌଣସି ପୋର୍ଟାଲ ଖୋଲୁ ନଥିବାରୁ ଲୋକେ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ସୋମବାର ଠାରୁ ନନ୍ଦପୁର ବ୍ଲକ ସଦର ମହକୁମା ସମେତ, ପରଟା, ବାଲଡ଼ା, ପାଡୁଆ, ପାନ୍ଥଲୁଙ୍ଗ, ପାଲିବା ଆଦି ଅଞ୍ଚଳରେ ଦୋଳପୂର୍ଣ୍ଣିମା, ଦୋଳତ୍ସବ ଓ ହଳପୋଡ଼ା ଯାତ୍ରା ଲାଗି ଉତ୍ସବ ମୁଖର ହେବାକୁ ଥିବା ବେଳେ ଦୁର୍ବଳ ନେଟୱର୍କ ସେବା କାହାରି ସହ ଯୋଗାଯୋଗ କରିବାକୁ ଦେଉ ନଥିବାରୁ ଲୋକେ ହଇରାଣ ହେଉଛନ୍ତି ।
ନେଟୱର୍କ ସେବା ବାବଦକୁ ଆଗୁଆ ଟଙ୍କା ନେଉଥିବା ଦୁଇ ନେଟୱର୍କ କର୍ତ୍ତୃପକ୍ଷ ଏଭଳି ଦୁର୍ବଳ ସେବା ପ୍ରଦାନ କରୁଥିବାରୁ ବିଏସଏନଏଲ୍, ଜିଓ ମୋବାଇଲ ଓ ଫାଇବର ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଛନ୍ତି ।