ବର୍ଷେ ହେଲା ନେଟ୍‌ଓ୍ବର୍କ ଅଚଳ: ରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଲେ ଅଞ୍ଚଳବାସୀ

ଦାରିଙ୍ଗବାଡ଼ି,୨୫ା୧୦(ଅରୁଣ ସାହୁ): ଦିନେ କି ୨ ଦିନ ନୁହଁ। ଗତ ୧ ବର୍ଷ ଧରି ବିଏସ୍‌ଏନ୍‌ଏଲ୍‌ ମୋବାଇଲ ନେଟଓ୍ବର୍କ ଅଚଳକୁ ନେଇ ଦେଖାଦେଇଛି ଅସନ୍ତୋଷ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ପର୍ତ୍ତମାହା ପଞ୍ଚାୟତରେ ରହିଥିବା ବିଏସ୍‌ଏନ୍‌ଏଲ୍‌ର ମୋବାଇଲ ନେଟ୍‌ଓ୍ବର୍କରେ। ଉକ୍ତ ପଞ୍ଚାୟତରେ ଏକମାତ୍ର ବିକଳ୍ପ ଏହି ନେଟ୍‌ଓ୍ବର୍କର ରକ୍ଷଣାବେକ୍ଷଣ ଅଭାବରୁ ବାରମ୍ବାର ଅଚଳ ହେଉଛି। ଅଞ୍ଚଳବାସୀ ବାରମ୍ବାର ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କେହି ଗୁହାରି ଶୁଣୁନାହାନ୍ତି। ଫଳରେ ଅଞ୍ଚଳବାସୀ ଏବେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ପର୍ତ୍ତମାହା ପଞ୍ଚାୟତର ଯୋହନ ପ୍ରଧାନଙ୍କ ସମେତ ଲୋକନାଥ ପ୍ରଧାନ, ସୁଶୀଲ ଚନ୍ଦ୍ର ପ୍ରଧାନ, ଇଏମାନୁଏଲ ପ୍ରଧାନ ପ୍ରମୁଖ ଶନିବାର ବିଡିଓ ପ୍ରୀତିରଞ୍ଜନ ରଥଙ୍କ ନିକଟରେ ଅଭିଯୋଗ କରିବାକୁ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିବା କହିଛନ୍ତି। ସେମାନେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଥିବା ନେଇ ଦାରିଙ୍ଗବାଡ଼ି ଥାନା, ତହସିଲ କାର୍ଯ୍ୟାଳୟ ଆଦିରେ ଅଭିଯୋଗ କରିଥିବା ଯୋହନ ପ୍ରଧାନ କହିଛନ୍ତି। ଏନେଇ ବିଏସ୍‌ଏନ୍‌ଏଲର କନ୍ଧମାଳ ଡିଜିଏମ୍‌ ବୃନ୍ଦାବନ ମାଝୀଙ୍କ ସହ ଯୋଗାଯୋଗ କରାଯିବାରୁ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ।

Dharitri – Odisha’s No.1 Odia Daily