ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର ସକାଳୁ ଜଣେ ନାବାଳକଙ୍କ ଗୋଡ଼ହାତ ଅଲଗା ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଯୁବକ ଜଣକ ସାନସଗର ଗ୍ରାମର ରାମ ରୁଙ୍ଗୁଡ଼ାଙ୍କ ପୁଅ ଶୁଭାନ ରୁଙ୍ଗୁଡ଼ା (୧୭) ବୋଲି ପରିଚୟ ମିଳିଛି। ସେ ଖୁଜେଲ ଗ୍ରାମରେ ଥିବା ତାଙ୍କ ମାମୁ କମୁଳୁ ଲୋଚନ ମୁଦୁଲିଙ୍କ ଘରକୁ ବଡବେଣ୍ଟଯାତ୍ରା ଦେଖିବାକୁ ଆସିଥିବା ପରିବାର ତରଫରୁ ସୂଚନା ମିଳିଛି। ପାରିପାର୍ଶିକ ସ୍ଥିତି, ନାବାଳକଙ୍କ ଫୁଙ୍ଗୁଳା ଦେହ, ପିନ୍ଧିଥିବା ହାପ ପ୍ୟାଣ୍ଟକୁ ଦେଖି ପରିବାର ଲୋକେ ମାମୁଘରଠାରୁ ରେଳଧାରଣା ଏତେ ଦୂର ଏଭଳି ଅବସ୍ଥାରେ କାହିଁକି ଓ କିଭଳି ଆସିଲା କହି ହତ୍ୟା ସନ୍ଦେହ କରିଛନ୍ତି। ସୂଚନା ପାଇ ରେଳ ବିଭାଗ ଆର୍ପିଏଫ୍ ଦଳ ଓ ଜିଆର୍ପି ନିରୀକ୍ଷକ ଦିପକ ମାଝୀଙ୍କ ନେତୃତ୍ୱାଧୀନ ଦଳ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ମାଝୀ ସୂଚନା ଦେଇଛନ୍ତି। ମାମୁଘରକୁ ଆସି ଭଣଜା ମୃତ୍ୟୁ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକ ସୁଭାମ ପାଡୁଆ ରାଧାକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତଦୁଇ ଛାତ୍ର ଭାବେ ଚଳିତ ବର୍ଷ ଯୁକ୍ତଦୁଇ ଶେଷ ବର୍ଷ ପରୀକ୍ଷା ଦେଇଥିଲେ ବୋଲି ଅଧ୍ୟକ୍ଷ ଅର୍ଜୁନ ଚିଞ୍ଚୁହା ସୂଚନା ଦେଇଛନ୍ତି।

