ଭଞ୍ଜନଗର,୧୩ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍ସିସି ନାଭାଲ ଓ୍ବିଙ୍ଗ୍ର କ୍ୟାଡେଟ ହିମେଶ କୁମାର ଜେନା ଗତ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡ୍ରେ ଅଂଶ ଗ୍ରହଣ କରି କଲେଜ ପାଇଁ ଗୌରବ ଆଣିଛନ୍ତି। ତାଙ୍କୁ ଶୁକ୍ରବାର କଲେଜ ମୁଖ୍ୟ ଫାଟକରୁ ବାଣ ଫୁଟାଇ ଏକ ଶୋଭାଯାତ୍ରାରେ ଅଣାଯାଇଥିଲା। ଏହାପରେ ଅଧ୍ୟକ୍ଷ କୁମୁନ୍ଦ ଚନ୍ଦ୍ର ମହାପାତ୍ର ହିମେଶଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। ଏଥିସହ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।
ଏହି ସମୟରେ ନାଭାଲ ଓ୍ବିଙ୍ଗ ସିଟିଓ ବିଭୂତି ଗୌଡ଼, ପ୍ରଶାସନିକ ଅଧିକାରୀ ବିଭାସ ଦାସ, ଆର୍ମି ଓ୍ବିଙ୍ଗ୍ ସିଟିଓ ଅର୍ପଣ ପ୍ରଧାନ, ଡ. ରବୀନ୍ଦ୍ର କୁମାର ମିଶ୍ର, ଦିଗନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ପ୍ରତିବର୍ଷ ଏହି ମହାବିଦ୍ୟାଳୟର କ୍ୟାଡେଟ୍ମାନେ ଆରଡିସି ପରେଡ୍ରେ ଭାଗ ନେବାର ସୁଯୋଗ ପାଉଛନ୍ତି। କ୍ୟାଡେଟ୍ମାନଙ୍କ କଠିନ ପରିଶ୍ରମ ଏବଂ ଦାୟିତ୍ୱରେ ରହୁଥିବା ଅଧିକାରୀମାନଙ୍କ ପ୍ରଚେଷ୍ଟା ଯୋଗୁ ଏହି ସଫଳତା ମିଳୁଛି। ଏହା ପୁର୍ବରୁ ଗତ ମଙ୍ଗଳବାର ଆର୍ମି ଓ୍ବିଙ୍ଗ୍ର ରାକେଶ ଭୂୟାଁଙ୍କୁ ମଧ୍ୟ କଲେଜ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେ ମଧ୍ୟ ଆର୍ଡିସି ପରେଡ୍ରେ ଭାଗ ନେଇ କଲେଜ ପାଇଁ ଗୌରବ ଆଣିଥିଲେ।

