ନବନିର୍ମାଣ କୃଷକ ସଙ୍ଗଠନର ଓଡ଼ିଶା ବନ୍ଦ ଡାକରା, ଥୁଆମୂଳ ରାମପୁରରେ ମିଶ୍ରିତ ପ୍ରଭାବ

ଥୁଆମୂଳ ରାମପୁର, ୨୮ା୧ (ଦୁର୍ଗା କୀର୍ତ୍ତି): ରାଜ୍ୟରେ ଧାନ ବିକ୍ରିରେ ଅବ୍ୟବସ୍ଥା, ସ୍ମାର୍ଟ ମିଟର ନାମରେ ଟାଟା ପାୱାରର ଶୋଷଣ ଏବଂ ପରିବହନ କ୍ଷେତ୍ରରେ ମାତ୍ରାଧିକ ଜରିମାନା ଆଦାୟ ପ୍ରତିବାଦରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଦିଆଯାଇଥିବା ୮ ଘଣ୍ଟିଆ ଓଡ଼ିଶା ବନ୍ଦର ପ୍ରଭାବ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଆଂଶିକ ଦେଖିବାକୁ ମିଳିଛି । ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ବ୍ଲକ ମୁଖ୍ୟାଳୟରେ ସାଧାରଣ ଜୀବନଯାତ୍ରା କିଛି ମାତ୍ରାରେ ବାଧାପ୍ରାପ୍ତ ହୋଇଛି। ବନ୍ଦ ଯୋଗୁଁ ବ୍ଲକ କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଫଳରେ ଦୂରଦୂରାନ୍ତରୁ ବ୍ୟାଙ୍କ କିମ୍ବା ବ୍ଲକ କାର୍ଯ୍ୟ ପାଇଁ ଆସିଥିବା ସାଧାରଣ ଜନତା ନିରାଶ ହୋଇ ଫେରିଥିଲେ।

ତେବେ ଥୁଆମୂଳ ରାମପୁରରେ ଆଜି ସାପ୍ତାହିକ ହାଟର ଦିନ ହୋଇଥିବାରୁ ବଜାରରେ ଟିଫିନ୍ ଦୋକାନ, ପେଟ୍ରୋଲ ପମ୍ପ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଦୋକାନ ବଜାର ଖୋଲା ରହିଥିବା ଦେଖାଯାଇଥିଲା। ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ବାଦ୍ ଦିଆଯାଇଥିଲା। ସଙ୍ଗଠନର କର୍ମକର୍ତ୍ତାମାନେ କଲମପୁର ଛକ ଠାରେ ଗାଡ଼ି ମୋଟର ଅଟକାଇ ରାସ୍ତା ଅବରୋଧ କରିଥିଲେ। ଏହା ଦ୍ୱାରା ଦୁଇ ଚକିଆ ଓ ଚାରି ଚକିଆ ଯାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବିଶେଷ କରି ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯଦିଓ ସଂଗଠନର ଯୋଜନାବଦ୍ଧ ରଣନୀତିର ଅଭାବ ପରିଲକ୍ଷିତ ହୋଇଥିଲା, ତଥାପି କିଛି ସରକାରୀ ଓ ବେସରକାରୀ ବସ୍ ଚଳାଚଳ ସ୍ୱାଭାବିକ ରହିଥିଲା।
ରାଜନୈତିକ ସମର୍ଥନ ଓ କର୍ମକର୍ତ୍ତାଙ୍କ ଉପସ୍ଥିତି ଏହି ବନ୍ଦକୁ କଂଗ୍ରେସ ଏବଂ ବିଜେଡି ସମର୍ଥନ ଜଣାଇଥିଲେ ହେଁ, ବ୍ଲକ ମୁଖ୍ୟାଳୟରେ ଏହି ଦୁଇ ଦଳର କୌଣସି ପ୍ରମୁଖ କର୍ମକର୍ତ୍ତାଙ୍କୁ ଦେଖିବାକୁ ମିଳିନଥିଲା। କେବଳ ନବନିର୍ମାଣ କୃଷକ ସଙ୍ଗଠନର ସଭ୍ୟମାନେ ହିଁ ଆନ୍ଦୋଳନକୁ ଆଗେଇ ନେଇଥିଲେ। ଏହି ଗଣଧାରଣାରେ ବ୍ଲକ ସ୍ତରୀୟ ନବନିର୍ମାଣ କୃଷକ ସଙ୍ଗଠନ ସଭାପତି ମଳୟ ନାଏକ, ଉପ-ସଭାପତି ବୃନ୍ଦା ନାଏକ, ସମ୍ପାଦକ ଦୀପକ ନାଏକ, ଉପ-ସମ୍ପାଦକ ଅନନ୍ତ ନାଏକ, ଯୁବ ଉପ-ସଭାପତି ଶାନ୍ତି କୁମାର ନାଏକ ଏବଂ ଯୁବ ସାଧାରଣ ସମ୍ପାଦକ ବସନ୍ତ କୁମାର ନାଏକଙ୍କ ସମେତ ଅନେକ କର୍ମକର୍ତ୍ତା ସାମିଲ ହୋଇଥିଲେ। ଚାଷୀଙ୍କ ସ୍ୱାର୍ଥ ରକ୍ଷା ଓ ଶୋଷଣ ବିରୋଧରେ ଏହି ଲଢ଼େଇ ଆଗକୁ ଜାରି ରହିବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

 

Dharitri – Odisha’s No.1 Odia Daily

Share