Naveen Patnaik: ପୁଣି ନିର୍ବାଚନ ଲଢିବେ ନବୀନ

ଭୁବନେଶ୍ୱର,୧୭ା୪(ସୁନିତ୍‌ ମିଶ୍ର): ବିଜେଡି ସଭାପତି ପଦ ଲାଗି ନବୀନ ପଟ୍ଟନାୟକ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିବେ। ଦଳର ରିଟର୍ନିଂ ଅଫିସର ପ୍ରତାପ ଦେବଙ୍କୁ ସେ ତାଙ୍କର ନାମାଙ୍କନପତ୍ର ଦେବେ। ଏହି ଅବସରରେ ନବୀନଙ୍କ ସହ ଦଳର ବହୁ ବରିଷ୍ଠ ଏବଂ ଯୁବନେତା ସାମିଲ ହେବେ ବୋଲି ଜଣାପଡ଼ିଛି। ଦଳର ସଭାପତି ଭାବେ ନବୀନଙ୍କୁ ନିର୍ବାଚନ କରାଇବାକୁ ପୂର୍ବରୁ ନିଷ୍ପତ୍ତି ନିଆଯାଇଛି। ସେହି କ୍ରମରେ ଦଳୀୟ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ମଧ୍ୟ କରାଯାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଏହି କାର୍ଯ୍ୟକ୍ରମ କରାଯିବା ନେଇ ଦଳ ଭିତରେ ନିଷ୍ପତ୍ତି ହୋଇଛି। ରାଜ୍ୟବ୍ୟାପୀ ବିଜେଡି ପକ୍ଷରୁ ବିଜୁବାବୁଙ୍କ ତିରୋଧାନ ଦିବସ ମଧ୍ୟ ପାଳନ କରାଯିବ। ଆସନ୍ତା ୧୯ରେ ନବୀନଙ୍କୁ ଦଳର ସଭାପତି ନେଇ ଘୋଷଣା କରାଯିବ। ବର୍ତ୍ତମାନ ସୁଦ୍ଧା ବିଜେଡି ୧୮ ଜିଲାର ସଭାପତିଙ୍କୁ ନିଯୁକ୍ତ କରିସାରିଛି। ଦଳର ସଭାପତି ଚୟନ ଲାଗି ଅତିକମ୍‌ରେ ୧୭ ଜଣ ଜିଲା ସଭାପତି ରହିବା ଦରକାର, ଯାହା ବିଜେଡି କରିସାରିଛି। ବାକି ୧୫ ସାଙ୍ଗଠନିକ ଜିଲାରେ ଦଳର ସହମତି ହୋଇପାରି ନ ଥିବାରୁ ଜିଲା ସଭାପତି ଘୋଷଣା ହୋଇପାରୁ ନ ଥିବା କୁହାଯାଉଛି।