ଭୁବନେଶ୍ୱର,୨୦।୧: ଘର ସଜାଡୁଛି ବିଜେଡି। ଏନେଇ ଆକ୍ସନ ମୋଡରେ ଆସିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯେଉଁମାନେ ଦଳ ଛାଡି ଯାଇଥିଲେ କିମ୍ବା ତାଙ୍କୁ ବହିଷ୍କାର କରାଯାଇଥିଲା ସେମାନଙ୍କୁ ପୁଣି ଯୋଗାଯୋଗ କରାଯାଉଛି। ସଂଗଠନକୁ ସୁଦୃଢ କରିବାକୁ ସୁପ୍ରିମୋ ଅଣ୍ଟା ଭିଡିଛନ୍ତି। ଏହାରି ଭିତରେ ବିଜେଡି ବାଲେଶ୍ୱର ରେମୁଣାର ପୂର୍ବ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ଉପରେ ନିଲମ୍ବନ ପ୍ରତ୍ୟାହାର କରିଛି। ବିଜେଡି ଦ୍ୱାରା ଜାରି ଏକ ପ୍ରେସ ବାର୍ତ୍ତାରେ ଏନେଇ ସୂଚନା ଦିଆଯାଇଛି।
ଚିଠିରେ କୁହାଯାଇଛି, ବାଲେଶ୍ୱର ଜିଲା ରେମୁଣାର ପୂର୍ବ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ଉପରେ ବହିଷ୍କାର ଆଦେଶ ପ୍ରତ୍ୟାହାର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏହାକୁ ତତ୍କାଳ ପ୍ରଭାବରେ ଲାଗୁ କରିବାକୁ କୁହାଯାଇଛି।
୨୦୨୩ ସେପ୍ଟେମ୍ବର ୨୧ରେ ପରିଡାଙ୍କୁ ଦଳରୁ ବହିଷ୍କାର କରିଥିଲେ ନବୀନ। ସେତେବେଳେ ତାଙ୍କ ନାମରେ ଦୂର୍ନୀତି ଅଭିଯୋଗ ଆସିଥିଲା। ୨୦୧୭-୧୮ ଏବଂ ୨୦୧୯-୨୦ ମଧ୍ୟରେ ଅନୁସୂଚିତ ଜାତି ଏବଂ ଜନଜାତି ହିତାଧିକାରୀଙ୍କ ଦ୍ୱାରା କୃଷି ଉପକରଣ କ୍ରୟରେ ସବସିଡି ଦେବା ପାଇଁ ଉଦ୍ଦିଷ୍ଟ ୩ କୋଟି ଟଙ୍କା ହଡ଼ପ କରିବା ଅଭିଯୋଗରେ ପରିଡାଙ୍କ ବିରୋଧରେ ଜନବିରୋଧୀ କାର୍ଯ୍ୟକଳାପ ଅଭିଯୋଗ ଆସିଥିଲା। ଯାହାକୁ ନେଇ ସେପ୍ଟେମ୍ବର ୨୦୨୩ରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା ବୋଲି କୁହାଯାଉଥିଲା। ସେ ସେତେବେଳେ ବାଲେଶ୍ୱରର ନିଗମାନନ୍ଦ ଆସୋସିଏଟର ପରିଚାଳନା ପାର୍ଟନର ଥିଲେ। ବହିଷ୍କାର ଆଦେଶରେ କୁହାଯାଇଥିଲା ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଦ୍ୱାରା ଏହି ମାମଲା ତଦନ୍ତ କରାଯାଉଛି।
ତେବେ ବିଜେଡି ସୁଧାଂଶୁଙ୍କୁ ଦଳରୁ ବାହାର କରିବା ସହ ୨୦୨୪ ସାଧାରଣ ନିର୍ବାଚନରେ ବିଦ୍ୟାସ୍ମିତା ମହାଳିକଙ୍କୁ ଟିକେଟ୍ ଦେଇଥିଲା। ସୁଧାଂଶୁ ସ୍ବାଧୀନ ଭାବେ ନିର୍ବାଚନ ଲଢି ମାତ୍ର ୬୮୩ ଖଣ୍ଡ ଭୋଟ ପାଇଥିଲେ। ସେହିପରି ରେମୁଣାରୁ ବିଜେଡିର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ଦଳ ଛାଡି କଂଗ୍ରେସରେ ଯୋଗ ଦେଇ ନିର୍ବାଚନ ଲଢିଥିଲେ। ତେବେ ସୁଧାଂଶୁଙ୍କ ସହ ବାଲେଶ୍ୱରର ପୂର୍ବତନ ଏମପିଙ୍କ ସମେତ ବିଜେଡିର ଗୋଟିଏ ବଡ଼ ଗୋଷ୍ଠୀର ମତଭେଦ ଥିବା ଗତ ନିର୍ବାଚନରେ ପ୍ରତିଫଳିତ ହୋଇଥିଲା। ତେଣୁ ଉଭୟ ରେମୁରା ନିର୍ବାଚନମଣ୍ଡଳୀ ଓ ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେଡି ହାରିଥିଲା।