ଭୁବନେଶ୍ୱର, ୨୦।୧୨(ସୁନିତ୍ ମିଶ୍ର):ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ସମ୍ପର୍କିତ ବିଲ୍ ଯାହା ବିଧାନସଭାରେ ପାରିତ ହୋଇଛି ସେଥିରେ ସଂଶୋଧନ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଭାଜପା ବିଧାୟକମାନେ ଏନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଲ୍ ଉପରେ ପୁନର୍ବିଚାର କରିବା ନେଇ ଦସ୍ତଖତ ସମ୍ବଳିତ ଦରଖାସ୍ତ ଦେବାପରେ ଦରମା ଓ ଭତ୍ତା ବୃଦ୍ଧି ସମ୍ବନ୍ଧିତ ନିଷ୍ପତ୍ତି ବଦଳିପାରେ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଶୁକ୍ରବାର ବିଜେଡି ବିଧାୟକମାନଙ୍କ ପକ୍ଷରୁ ମଧ୍ୟ ଏହି ନିଷ୍ପତ୍ତିର ପୁନର୍ବିଚାର ଲାଗି ଦାବି କରାଯାଇଛି। ହେଲେ କିଛିଦିନ ତଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବେ ନାହିଁ, ବରଂ ତାକୁ ଗରିବମାନଙ୍କ କଲ୍ୟାଣରେ ଲଗାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ନବୀନଙ୍କ ଏଭଳି ଚିଠି ପରେ ମଧ୍ୟ ଆଉ ଜଣେ କେହି ବିଜେଡି ବିଧାୟକ ସେମାନଙ୍କ ବର୍ଦ୍ଧିତ ଦରମା ନେବେନି ବୋଲି କହିଲେନି। ଯେତେବେଳେ ଭାଜପା ବିଧାୟକମାନେ ନିଷ୍ପତ୍ତି ବଦଳାଇବାକୁ କହିଲେ, ତା’ପରେ ବିଜେଡି ନିଷ୍ପତ୍ତିର ପୁନର୍ବିଚାର କଥା କହିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଶୁକ୍ରବାର ଶଙ୍ଖ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ଏବଂ ବିରୋଧୀ ଦଳ ଉପନେତା ପ୍ରତାପ ଦେବ କହିଛନ୍ତି, ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ବିଜେଡି ସଭାପତି ପୂର୍ବରୁ ବର୍ଦ୍ଧିତ ଦରମା ଗ୍ରହଣ କରିବେ ନାହିଁ ଓ ଏହାକୁ ଗରିବ କଲ୍ୟାଣ କାର୍ଯ୍ୟରେ ବିନିଯୋଗ କରିବା ପାଇଁ କହିଥିଲେ। ଏହାର ପୁନର୍ବିଚାର ପାଇଁ ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି। ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକମାନଙ୍କ ପେନସନ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇ ଗତ ୯ ତାରିଖରେ ସର୍ବସମ୍ମତି କ୍ରମେ ବିଲ୍ ପାସ୍ ହୋଇଥିଲା। ଏହି ବର୍ଦ୍ଧିତ ଦରମା ନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରତିକ୍ରିୟାକୁ ସମ୍ମାନ ଜଣାଇ ନବୀନଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ପକ୍ଷରୁ ଏହାକୁ ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଥିବା ଉଭୟ ନେତା କହିଛନ୍ତି।
Dharitri – Odisha’s No.1 Odia Daily


