ମୁମ୍ବାଇ,୭।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି। ସର୍ଭାଇକାଲ୍ ଆର୍ଥ୍ରରାଇଟ୍ସ ଅସ୍ତ୍ରୋପଚାର ପାଇଁ ସେ ଏହି ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ।
ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ରଙ୍କ ସୂଚନା ଅନୁଯାୟୀ, ଅସ୍ତ୍ରୋପଚାର ପରେ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ଆଉ କିଛି ଦିନ ମୁମ୍ବାଇରେ ରହି ଆବଶ୍ୟକ ଚିକିତ୍ସା ଓ ପର୍ଯ୍ୟବେକ୍ଷଣ ଜାରି ରଖିବେ।
ଏହି ଖବର ନବୀନଙ୍କ ଅନୁଗାମୀ ଓ ସମର୍ଥକମାନଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଛି। ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରି ରାଜ୍ୟରେ ଅନେକ ସ୍ଥାନରେ ପ୍ରାର୍ଥନା କରାଯାଉଛି।