ମୋହନ ସରକାର ଉପରେ ବର୍ଷିଗଲେ ନବୀନ: ‘ପୋଲିସ ନିଜ କର୍ମଚାରୀଙ୍କୁ ସୁରକ୍ଷା ଦେଇ ପାରୁନି, ସାଧାରଣ ଲୋକ କ’ଣ କରିବେ’

ଭୁବନେଶ୍ୱର,୧୭।୯: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାର ଓ ପୋଲିସ ବିଭାଗର କାର୍ଯ୍ୟଦକ୍ଷତା ଉପରେ ତୀବ୍ର ସମାଲୋଚନା କରିଛନ୍ତି। ଭୁବନେଶ୍ୱର କମିଶନରେଟ ପୋଲିସରେ କାର୍ଯ୍ୟରତ ୨୫ ବର୍ଷୀୟା ମହିଳା କନଷ୍ଟେବଲ୍ ଶୁଭମିତ୍ରା ସାହୁଙ୍କ ନିଖୋଜ ଓ ପରେ ତାଙ୍କ ମୃତଦେହ କେନ୍ଦୁଝର ଜିଲା ଘଟଗାଁ ନିକଟରୁ ପୋତା ଅବସ୍ଥାରେ ଉଦ୍ଧାର ହେବା ଘଟଣାକୁ ନେଇ ସେ ମୋହନ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ନବୀନ କହିଛନ୍ତି, “ଶୁଭମିତ୍ରାଙ୍କ ମୃତ୍ୟୁ ଖବର ମୋତେ ମର୍ମାହତ କରିଛି। ଯଦି ପୋଲିସ ନିଜର ମହିଳା କର୍ମଚାରୀଙ୍କୁ ୧୦ ଦିନ ଧରି ଖୋଜି ପାରୁନି, ତେବେ ସାଧାରଣ ନାଗରିକଙ୍କ ସୁରକ୍ଷା କିପରି ସୁନିଶ୍ଚିତ ହେବ?” ସେ ଗୃହ ବିଭାଗର ନିଷ୍କ୍ରିୟତାକୁ “କୁମ୍ଭକର୍ଣ୍ଣ ନିଦ୍ରା” ସହ ତୁଳନା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଶୁଭମିତ୍ରା ସେପ୍ଟେମ୍ବର ୬ରେ ଡ୍ୟୁଟି ସାରି ଘରକୁ ଫେରିନଥିବା ବେଳେ ତାଙ୍କ ମାଆ ସେପ୍ଟେମ୍ବର ୭ରେ ପୋଲିସରେ ଅଭିଯୋଗ କରିଥିଲେ। ତାଙ୍କ ବାପା ଅଭିଯୁକ୍ତ ଦୀପକ ରାଉତଙ୍କ ବିଷୟରେ ପୂର୍ବରୁ ପୋଲିସକୁ ସୂଚନା ଦେଇଥିଲେ ବୋଲି ଗଣମାଧ୍ୟମରେ ରିପୋର୍ଟ ହୋଇଛି। ତଥାପି, ତଦନ୍ତରେ ବିଳମ୍ବ ହେବା କାରଣରୁ ଶୁଭମିତ୍ରାଙ୍କ ମୃତଦେହ ଘଟଗାଁରୁ ୧୦ ଦିନ ପରେ ଉଦ୍ଧାର ହୋଇଛି। ଅଭିଯୁକ୍ତ ଦୀପକ, ଜଣେ ପୋଲିସ କନଷ୍ଟେବଲ୍, ଶୁଭମିତ୍ରାଙ୍କୁ ହତ୍ୟା କରି ପୋତିଥିବା ସ୍ୱୀକାର କରିଛନ୍ତି।

ନବୀନ ଆଗକୁ ମହିଳା ସୁରକ୍ଷା ନିଶ୍ଚିତ କରିବା ପାଇଁ ଗୃହ ବିଭାଗ ଓ ପୋଲିସର କାର୍ଯ୍ୟଶୈଳୀରେ ତୁରନ୍ତ ପରିବର୍ତ୍ତନ ଆଣିବାକୁ ଦାବି କରିଛନ୍ତି। ସେ ଗୋପାଳପୁର ଓ ବାଲିହରଚଣ୍ଡୀ ଭଳି ପର୍ଯ୍ୟଟନ ସ୍ଥଳୀରେ ଘଟିଥିବା ଗଣଦୁଷ୍କର୍ମ ଘଟଣାକୁ ଉଲ୍ଲେଖ କରି ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ କଡ଼ା ପଦକ୍ଷେପ ନେବାକୁ କହିଛନ୍ତି।

Share