ବଲାଙ୍ଗୀର,୧୩ା୩(ବୀରେନ୍ଦ୍ର କୁମାର ଝାଙ୍କର): ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଏବର ସରକାର ଅପେକ୍ଷା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶୀ ଦାୟୀ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ବୁଧବାର କହିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତର ଦେଇ ପୂର୍ବତନ ବିରୋଧୀ ଦଳ ନେତା ମିଶ୍ର କହିଥିଲେ ଯେ, ମହାନଦୀ ଜଳ ବିବାଦ ପ୍ରସଙ୍ଗଟି ଯେବେ ଉଠିଲା ସେତେବେଳେ ସେ ନିଜେ ବିଧାନସଭାରେ ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ବାରମ୍ବାର ଚିଠି ଲେଖିଥିଲେ। ସେ ସେଇ ଚିଠିର କୌଣସି ଉତ୍ତର ଦେଲେନାହିଁ। ଏହାପରେ ସେ ନିଜେ ବିରୋଧୀ ଦଳ ନେତା ଭାବେ ସର୍ବଦଳୀୟ ବୈଠକ ଡାକିଥିଲେ। ସେହି ବୈଠକକୁ ସେ କିମ୍ବା ତାଙ୍କର କୌଣସି ପ୍ରତିନିଧି ଆସିଲେନାହିଁ। ଏଥିରୁ ତାଙ୍କର କେତେ ଆଗ୍ରହ ଥିଲା ଜଣାପଡୁଛି। ଖାଲି ସେତିକି ନୁହେଁ, ସେ ଏକ ପ୍ରଶ୍ନର ମାରାତ୍ମକ ଉତ୍ତର ଦେଇଥିଲେ। ଅଣମୌସୁମୀ ଋତୁରେ ହୀରାକୁଦ ଜଳଭଣ୍ଡାରକୁ ଯଥେଷ୍ଠ ପାଣି ଆସୁଛି ବୋଲି ଉତ୍ତର ଦେଇଥିଲେ। କିଛି ନ ହେଲେ ବି ଏବର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି। ଆଲୋଚନା କରି ନିଷ୍ପତ୍ତି ନେଉଛନ୍ତି। ଚେଷ୍ଟା କରୁଛନ୍ତି ଯେ, ବିବାଦର ଆପୋଷ ସମାଧାନ କରିବେ। ଆମେ ସେତେବେଳେ ଟ୍ରିବ୍ୟୁନାଲ ଦାବି କରିଥିଲୁ। କିନ୍ତୁ ଏବେ ଯେଉଁ ଆପୋଷ ସମାଧାନ କଥା କୁହାଯାଉଛି ସେଥିରେ ମହାନଦୀ ଜଳ ବିବାଦର ସମାଧାନ ବାଟ ବାହାରିବ ଏହି ଆଶା ତାଙ୍କର ନାହିଁ ବୋଲି ମିଶ୍ର କହିଛନ୍ତି।