ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ): ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଚିନ୍ତାର କାରଣ ପାଲଟିଛି। ତେବେ ଜଳବାୟୁ ପରିବର୍ତ୍ତନ ପାଇଁ ଆବଶ୍ୟକ ବର୍ଷାର ପରିମାଣ କମିବା ଅତ୍ୟଧିକ ଗରମ ଶୀତ ସଠିକ୍ ସମୟରେ ନ ହେବା ଭଳି ଅନେକ ପରିବର୍ତ୍ତନ ସହ ବାତ୍ୟା, ବନ୍ୟା ଭଳି ବିପର୍ଯ୍ୟୟ ଲୋକଙ୍କ ଧନଜୀବନ ଉପରେ ଖରାପ ପ୍ରଭାବ ପକାଇଛି। ଅନେକ ସ୍ଥାନରେ ବର୍ଷା ହେବା କ୍ଷଣି ଭୂସ୍ଖଳନ ଭଳି ବିପର୍ଯ୍ୟୟ ଏବେ ଚିନ୍ତାର କାରଣ ସାଜିଛି। ଏବେ ବିପଦ ସମୟରେ କିଭଳି ମୁକାବିଲା କରାଯିବ ବିଶେଷ କରି ଜଳବାୟୁ ପରିବର୍ତ୍ତନ ଯୋଗୁ ଘଟୁଥିବା ବିପର୍ଯ୍ୟୟକୁ ପରିଚାଳନା କରିବା ପାଇଁ ପରିଚାଳନା କମିଟି ଗଠନ କରାଯାଇଛି। ଏହି ଅବସରରେ ଗ୍ରୀନବାଡ଼ି ପଞ୍ଚାୟତ ମିଡ଼ିଆଗୁଟା ଗ୍ରାମର କାକାମାହାପଡ଼ାରେ ଜାଗୃତି ଅନୁଷ୍ଠାନର କାର୍ଯ୍ୟ ସଂଯୋଜକ ଧନେଶ୍ୱର ସାହୁଙ୍କ ଅଧ୍ୟକ୍ଷତାରେ ଅଶ୍ୱିନ ପ୍ରଧାନ ନେତୃତ୍ୱରେ କମିଟି ଗଠନ ହୋଇଥିଲା। ଏହି କମିଟିର ମୁଖ୍ୟ କାର୍ଯ୍ୟ ହେଲା ଗ୍ରାମର ସମ୍ବଳ ଆକଳନ କରାଯିବା ସହ ବିପଦ ସ୍ଥାନ ଚିହ୍ନଟ ସହ ସୁରକ୍ଷିତ ରହିବା ପାଇଁ ଗୃହ ଚିହ୍ନଟ କରିବ ପରିଚାଳନା କମିଟି। ସେହିପରି ଗ୍ରାମକୁ କିଭଳି ବିପର୍ଯ୍ୟୟ ସମୟରେ ସହାୟତା କରିବା ନେଇ ଏହି କମିଟି କାର୍ଯ୍ୟ କରିବ ବୋଲି କୁହାଯାଇଛି।
ସେହିପରି ସମସ୍ତ କମିଟି ଗଠନ କରାଯାଇଥିବା ଅଞ୍ଚଳ ଓ ସମ୍ଭାବିତ ବିପର୍ଯ୍ୟୟ ଅଞ୍ଚଳରେ ୨୦ ବର୍ଷର ଇତିହାସ ଉପରେ ଆଲୋଚନା କରାଯାଉଛି। ବିଗତ ୨୦ ବର୍ଷର ବିପର୍ଯ୍ୟୟ ଓ ପାଣିପାଗ, ଜନସଂଖ୍ୟା, ଗୃହ ସଂଖ୍ୟା ଆଦି ତଥ୍ୟ ସଂଗ୍ରହ କରାଯାଉଛି। ଏହି ତଥ୍ୟକୁ ନେଇ ସମସ୍ତ ଯୋଜନା ପ୍ରସ୍ତୁତ କରାଯାଉଥିବା କୁହାଯାଇଛି। ଏହି ପରିଚାଳନା କମିଟି ଜାଗୃତି ପକ୍ଷରୁ ଦାରିଙ୍ଗବାଡ଼ି ସମେତ କ. ନୂଆଗାଁ ଏବଂ ରାଇକିଆ ବ୍ଲକରେ ମୋଟ୍ ୬୫ଟି ଗ୍ରାମରେ କମିଟି ଗଠନ କରାଯାଇଛି ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସହାଭାଗିତାରେ ଜାଗୃତି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା କୁହାଯାଇଛି।