କୋରାପୁଟ,୨୮।୧(ଅମିତାଭ ବେହେରା ): ବୁଧବାର ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ଓଡିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାକୁ ଉଭୟ କଂଗ୍ରେସ ଓ ବିଜେଡି ପକ୍ଷରୁ ସମର୍ଥନ ମିଳିଛି। ଏହି ବନ୍ଦ ଯୋଗୁ କୋରାପୁଟରେ ଆଂଶିକ ପ୍ରଭାବ ଦେଖାଯାଇଥିବାବେଳେ ବଡ଼ ଗାଡ଼ି ଚଳାଚଳ ଓ ଅଧିକାଂଶ ଦୋକାନ ବନ୍ଦ ହୋଇଥିବା ଦେଖାଯାଇଛି।
କଂଗ୍ରେସ ପକ୍ଷରୁ ଜିଲା କଂଗ୍ରେସ ସଭାପତି ରୂପକ ତୁରୁକଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ନିମାଇଁ ସରକାର, ଏମ୍ପି ପ୍ରତିନିଧି ମୋନଜ ଆଚାର୍ଯ୍ୟଙ୍କ ସମେତ ବହୁ ନେତା କର୍ମୀ, ସ୍ଥାନୀୟ ଟ୍ରାଫିକଛକଠାରେ ୨୬ ନଂ. ଜାତୀୟ ରାଜପଥର ଉପରେ ବସିବା ସହିତ ରାଜ୍ୟସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ବିରୋଧ କରି ସ୍ଲୋଗାନମାନ ଦେଇଥିଲେ। ଏହାଯୋଗୁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ବହୁ ଗାଡି ଅଟକି ରହିଥିଲା।
ସୂଚନା ଥାଉକି, ରାଜ୍ୟରେ ଧାନମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥା କାରଣରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନାଁରେ ସାଧାରଣ ଲୋକମାନଙ୍କଠାରୁ ସରକାର ଅନେକ ହଜାର ଟଙ୍କାର ଫାଇନ ଆଦାୟ କରୁଛନ୍ତି। ଟାଟା ପାଓ୍ବାର ସ୍ମାର୍ଟ ମିଟର ଲଗାଇବା ନଁାରେ ଲୁଟ୍ କରିବାରେ ଲାଗିପଡ଼ିଛି। ଏହିସବୁ ପ୍ରସଙ୍ଗକୁ ନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବୁଧବାର ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟା ପାଇଁ ଓଡ଼ିଶା ବନ୍ଦର ଡାକରା ଦିଆଯାଇଛି