ଭୁବନେଶ୍ୱର,୨୬।୧୧(ରବିନାରାୟଣ ଜେନା): ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡ ପିଛା ଆୟ(ପର୍ କ୍ୟାପିଟା ଇନ୍କମ୍) ଜାତୀୟ ହାର ତୁଳନାରେ ବହୁ ପଛରେ ରହିଛି। ଜାତୀୟ ସ୍ତରରେ ୨ଲକ୍ଷ ୧୬୨ ଟଙ୍କା (୨,୪୪୦ ଡଲାର) ରହିଥିବାବେଳେ ଓଡ଼ିଶାରେ ମୁଣ୍ଡ ପିଛା ଆୟ ୧ ଲକ୍ଷ ୮୨ହଜାର ୫୪୮ ଟଙ୍କା (୨,୨୨୫ ଡଲାର) ରହିଛି। ତେବେ ଗୋଟିଏ ପଟେ ରାଜ୍ୟ ସରକାର ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ଅହରହ ଉଦ୍ୟମ କରୁଛନ୍ତି। ଏଥିପାଇଁ ଭିଜନ-୨୦୩୬ ଏବଂ ୨୦୪୭ର ପରିକଳ୍ପନା କରାଯିବା ସହ ବହୁବିଧ ଯୋଜନା ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଇକୋନୋମି ଆଣ୍ଡ ଫାଇନାନ୍ସସେ ଅଫ୍ ଓଡ଼ିଶା ଆଣ୍ଡ ମିଡିୟମ ଟର୍ମ ଆଉଟଲୁକ୍’ରେ ଏଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି।
ନଭେମ୍ବର ୨୦ରେ ଅର୍ଥ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏହି ରିପୋର୍ଟରେ କୁହାଯାଇଛି, ୨୦୨୪-୨୫ ଆଥିର୍କବର୍ଷରେ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡ ପିଛା ଆୟ ଆଇଏନ୍ଆର୍ ୧,୮୨,୫୪୮ (୨,୨୨୫ ଡଲାର) ରହିଛି, ଯାହାକି ଜାତୀୟସ୍ତରରେ ଆଇଏନ୍ଆର୍ ୨,୦୦,୧୬୨ (୨,୪୪୦ ଡଲାର) ଠାରୁ କମ୍। ଜାତୀୟସ୍ତର ଏବଂ ଓଡ଼ିଶା ମଧ୍ୟରେ ମୁଣ୍ଡ ପିଛା ହାରକୁ ନେଇ ଥିବା ବ୍ୟବଧାନକୁ କମ୍ କରିବା ଲାଗି ସରକାରଙ୍କ ପକ୍ଷରୁ ଏବେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜସ୍ବ ବୃଦ୍ଧି କରାଯିବା ସହ ମୁଣ୍ଡ ପିଛା ଆୟ କିଭଳି ବଢ଼ିବ ସେଥିପାଇଁ ନୀଳନକ୍ସା ପ୍ରସ୍ତୁତ ହୋଇଛି। ତଥ୍ୟ ଅନୁଯାୟୀ, ୨୦୧୫-୧୬ ଆର୍ଥିକ ବର୍ଷରେ ଏହି ବ୍ୟବଧାନ ୩୧.୬% ରହିଥିଲା, ମାତ୍ର ୨୦୨୪-୨୫ ଆର୍ଥିକ ବର୍ଷରେ ଏହା କ୍ରମଶଃ ହ୍ରାସ ପାଇ ୮.୮%କୁ ଖସିଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଲୋକଙ୍କ ମୁଣ୍ଡ ପିଛା ଆୟ ହାର ବଢୁଥିବା ଅର୍ଥ ବିଭାଗ ରିପୋର୍ଟରେ କୁହାଯାଇଛି।
ଅର୍ଥ ବିଭାଗ ପକ୍ଷରୁ ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭ର ପରିକଳ୍ପନା ଅନୁଯାୟୀ, ଭାରତର ସମୁଦାୟ ଘରୋଇ ଉତ୍ପାଦରେ ଓଡ଼ିଶାର ହାର ଏବେ ୨.୮ ପ୍ରତିଶତ ରହିଥିବାବେଳେ ୨୦୩୬ ବେଳକୁ ଏହା ବୃଦ୍ଧି ପାଇ ୪ ପ୍ରତିଶତରେ ପହଞ୍ଚିିବ। ସେହିପରି ବିକଶିତ ଭାରତ ୨୦୪୭ ବେଳକୁ ଭାରତର ଜିଡିପିକୁ ଓଡ଼ିଶା ୫ପ୍ରତିଶତ ଅବଦାନ ରଖିବାକୁ ତଥ୍ୟରେ ରହିଛି; ଯାହାକି ଆମେରିକା ଡଲାରରେ ୫୦୦ ବିଲିୟନ(୨୦୩୬) ବେଳକୁ ହୋଇଥିବାବେଳେ ୨୦୪୭ ବେଳକୁ ୧.୫ ଟ୍ରିଲିୟନ
ଆମେରିକା ଡଲାରରେ ଓଡ଼ିଶା ପହଞ୍ଚିବ।
Dharitri – Odisha’s No.1 Odia Daily