ନ୍ୟାଶନାଲ କ୍ୟାନ୍‌ସର ସର୍ଭାଇଭର ଡେ’: ମନୋବଳ ବଢ଼ିଲେ କର୍କଟକୁ ଜିତିହେବ

ଦିନକୁଦିନ କର୍କଟ ରୋଗୀଙ୍କ ସଂଖ୍ୟା ବଢିବା ସହ ଏଥିଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବଢୁଛି। ଏହାର ମୁଖ୍ୟ କାରଣ ହେଉଛି କର୍କଟ ହେବା କଥା ଶୁଣିବାମାତ୍ରେ ମାନସିକ ସ୍ତରରେ ରୋଗୀ ଦୁର୍ବଳ ହୋଇପଡ଼ିବା। ତେବେ ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ସହ ଚିକିତ୍ସା ଆରମ୍ଭ ହେଲେ ଏବଂ ରୋଗୀର ମନୋବଳ ଦୃଢ଼ ହେଲେ କର୍କଟକୁ ପରାଜିତ କରାଯାଇପାରିବ। ଅବଶ୍ୟ ଏବେ କର୍କଟର ମଧ୍ୟ ସଫଳ ଚିକିତ୍ସା ହୋଇପାରୁଛି ଏବଂ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଜୀବନଯାପନ କରିପାରୁଛନ୍ତି। ଏ ଦିଗରେ ସଚେତନତା ସୃଷ୍ଟି ଲାଗି ୧୯୮୭ ମସିହାରେ ନାଶନାଲ୍‌ କ୍ୟାନ୍‌ସର ସର୍ଭାଇଭର ଡେ’ ଆରମ୍ଭ କରିବାକୁ ଯୋଜନା କରାଯାଇଥିଲା। ୧୯୮୮ ମସିହାଠାରୁ ପ୍ରତିବର୍ଷ ଜୁନ୍‌ ପ୍ରଥମ ରବିବାରରେ ଏହି ଦିବସ ପାଳନ କରାଯାଇଆସୁଅଛି।
ଏବେ ସ୍ତନ ଓ ମୁଖଗହ୍ବର କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ ହେଲାଣି। ଅତ୍ୟଧିକ ନିଶାସେବନ ସହ ଅତ୍ୟାଧୁନିକ ଜୀବନଶୈଳୀ ଏହାର ପ୍ରମୁଖ କାରଣ କହିଲେ ଅତ୍ୟୁକ୍ତି ହେବନାହିଁ। ସେହିଭଳି ଭାରତରେ ପ୍ରତି ୫ଜଣରେ ୩ଜଣ, ଆମେରିକାରେ ପ୍ରତି ୪ଜଣରେ ଜଣେ ଏବଂ ଚାଇନାରେ ପ୍ରତି ୨ଜଣରେ ଜଣେ କର୍କଟ ରୋଗୀ ଆଖି ବୁଜି ଦେଉଛନ୍ତି। ଲାନ୍‌ସେଟ ରିଜିଓନାଲ ହେଲ୍‌ଥ ସାଉଥ୍‌ଇଷ୍ଟ ଏସିଆ ପତ୍ରିକାରେ ଏଭଳି ତଥ୍ୟ ପ୍ରକାଶ ପାଇଛି। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ବା ଆଇସିଏମ୍‌ଆର୍‌ ଅଧ୍ୟୟନରୁ ଜଣାପଡିଛି, ବିଶ୍ୱବ୍ୟାପୀ କର୍କଟ ରୋଗୀଙ୍କ ସଂଖ୍ୟା ନେଇ ଯେଉଁ ତାଲିକା କରାଯାଇଛି, ସେଥିରେ ତୃତୀୟ ସ୍ଥାନରେ ରହିଛି ଭାରତ। ବିଶ୍ୱର କର୍କଟଜନିତ ମୃତ୍ୟୁର ୧୦% କେବଳ ଭାରତରେ ହେଉଛି। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ଭାରତ କର୍କଟଜନିତ ମୃତ୍ୟୁ ପରିଚାଳନା କରିବାରେ ଏକ ବଡ଼ ଚ୍ୟାଲେଞ୍ଜକୁ ସାମ୍‌ନା କରିବ। ଗ୍ଲୋବାଲ କ୍ୟାନ୍‌ସର ଅବଜରଭେଟୋରି-୨୦୨୨ ଏବଂ ଗ୍ଲୋବାଲ ହେଲ୍‌ଥ ଅବଜରଭେଟୋରି ତଥ୍ୟ ଆଧାରରେ ୨୦ବର୍ଷ ମଧ୍ୟରେ ୩୬ ପ୍ରକାର କର୍କଟ ରୋଗ ଉପରେ ପରୀକ୍ଷଣ ହୋଇଥିଲା। କର୍କଟ ରୋଗଜନିତ ମୃତ୍ୟୁ ପ୍ରତିବର୍ଷ ବୃଦ୍ଧି ପାଉଥିବା ଏହି ପରୀକ୍ଷଣ ବେଳେ ବିଶେଷଜ୍ଞ ଟିମ୍‌ ଜାଣିବାକୁ ପାଇଥିଲେ।
କେବଳ ଏତିକି ନୁହେଁ, ପରୀକ୍ଷଣରୁ ଆଉ କିଛି ଚିତ୍ର ମଧ୍ୟ ସାମ୍‌ନାକୁ ଆସିଛି। ଉଭୟ ପୁରୁଷ ଓ ମହିଳାଙ୍କୁ ପ୍ରଭାବିତ କରୁଥିବା ୫ଟି ସାଧାରଣ କର୍କଟ ରୋଗ ସମୂହ ଭାରତରେ କର୍କଟ ବୋଝର ୪୪%। ପୁରୁଷଙ୍କ ଅପେକ୍ଷା ମହିଳାମାନେ ଏ କ୍ଷେତ୍ରରେ ଅଧିକ ଜଟିଳ ସ୍ଥିତିକୁ ସାମ୍‌ନା କରୁଛନ୍ତି। ମହିଳାଙ୍କ ପାଇଁ ଏବେ ସବୁଠୁ ବଡ଼ କାଳ ସାଜିଛି ସ୍ତନ କର୍କଟ ଓ ଗର୍ଭାଶୟ କର୍କଟ। ଅପରପକ୍ଷେ ପୁରୁଷମାନେ ମୁଖଗହ୍ବର, ଶ୍ୱାସନଳୀ ଏବଂ ଖାଦ୍ୟନଳୀଜନିତ କର୍କଟର ଶିକାର ହେଉଛନ୍ତି। ଏହାର କାରଣ ସଂପର୍କରେ ବିଶେଷଜ୍ଞମାନେ ସର୍ଭେ ରିପୋର୍ଟରେ ସେଭଳି କିଛି ଦର୍ଶାଇନଥିଲେ ହେଁ ଏହା ମୁଖ୍ୟତଃ ଧୂମପାନ, ନିଶାସେବନ, ପାନ ଓ ଗୁଟ୍‌ଖାର ଅତ୍ୟଧିକ ବ୍ୟବହାର ସହିତ ବାୟୁମଣ୍ଡଳ ପ୍ରଦୂଷଣ ପାଇଁ ହେଉଥିବା କୁହାଯାଉଛି। ତେଣୁ ବର୍ତ୍ତମାନ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି।
-ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ, ଭୁବନେଶ୍ୱର