କେପ୍ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍ ସ୍ପେସ୍ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ ଆମେରିକୀୟ ଏବଂ ଜଣେ କାନାଡୀୟ ମହାକାଶଚାରୀ ଯାଇଛନ୍ତି।
ନାସାର କେନେଡି ସ୍ପେସ୍ ସେଣ୍ଟରରୁ ବିଶାଳ ରକେଟ ସେମାନଙ୍କୁ ନେଇ ମହାକାଶ ଅଭିମୁଖେ ଯାତ୍ରା କରିଛି। ରକେଟ ଉତ୍କ୍ଷେପଣ ବେଳେ ଏହାକୁ ଦେଖିବା ପାଇଁ ଆଖପାଖ ରାସ୍ତା ଓ ବେଳାଭୂମିରେ ଲୋକଙ୍କ ପ୍ରବଳ ଗହଳି ହୋଇଥିଲା।
ସୂଚନାଯୋଗ୍ୟ, ୬୦ ଦଶକରେ ନାସା ଚନ୍ଦ୍ରକୁ ଆପୋଲୋ ମହାକାଶ ଯାନ ସହାୟତାରେ ମହାକାଶଚାରୀଙ୍କୁ ପଠାଇଥିଲା। ଚନ୍ଦ୍ରରେ ମାନବ ଉପସ୍ଥିତି ଦିଗରେ ଏହା ନାସାର ସବୁଠୁ ବଡ଼ ପଦକ୍ଷେପ ହୋଇରହିଛି।
ଆର୍ଟେମିସ୍-୨ ମଧ୍ୟ ସେହି ଫ୍ଲୋରିଡା ଲଞ୍ଚ୍ ସାଇଟ୍ରୁ ଅଭିଯାନ ଆରମ୍ଭ କରିଛି। ରକେଟ ଛଡ଼ାଯିବାର ୫ ମିନିଟ୍ ପରେ ମହାକାଶ ଯାନରୁ କମାଣ୍ଡର ରେଇଡ୍ ଓ୍ବାଇଜ୍ମ୍ୟାନ୍ କହିଛନ୍ତି, ଆମେ ଏକ ସୁନ୍ଦର ଚନ୍ଦ୍ରୋଦୟ ଦେଖୁଛୁ ଏବଂ ଠିକ୍ ଦିଗରେ ଗତି କରୁଛୁ। ତାଙ୍କ ସହ ଭିକ୍ଟର ଗ୍ଲୋଭର, କ୍ରିଷ୍ଟିନା କୋଚ୍ ଏବଂ କାନାଡାର ଜେରେମି ହାନ୍ସେନ ଅଛନ୍ତି।

