ମୁଖ୍ୟମନ୍ତ୍ରୀଙ୍କୁ ନରସିଂହଙ୍କ ଚିଠି

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): କୋଭିଡ୍‌ ମୃତକଙ୍କୁ ସହାୟତା ନେଇ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍‌ରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଟଙ୍କା ଦିଆଯାଉ। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍‌ଡିଆରଏଫ୍‌) ନିୟମ ଅନୁଯାୟୀ କେନ୍ଦ୍ର ସରକାର ୭୫% ଏବଂ ରାଜ୍ୟ ସରକାର ୨୫% ଅଂଶ ପ୍ରଦାନ କରିବେ। କୋଭିଡ୍‌ ସହାୟତା ବାବଦରେ ରାଜ୍ୟ ସରକାର ୧ ଲକ୍ଷ ଟଙ୍କା ଏବଂ କେନ୍ଦ୍ର ସରକାର ୩ ଲକ୍ଷ ଟଙ୍କା ଦିଅନ୍ତୁ। ମୁଖ୍ୟମନ୍ତ୍ରୀ ୧ ଲକ୍ଷ ଟଙ୍କା ଦେବାକୁ ପଦକ୍ଷେପ ନିଅନ୍ତୁ। ବାକି ଟଙ୍କା ଦେବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାନ୍ତୁ ବୋଲି ନରସିଂହ ଚିଠିରେ ଉଲ୍ଲେଖ କରିଛନ୍ତି। କୋଭିଡ୍‌ ମୃତକଙ୍କୁ ସହାୟତା ଦେବାକୁ ପୂର୍ବରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୦ ମାର୍ଚ୍ଚ ୧୪ ତାରିଖରେ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରକୁ କେନ୍ଦ୍ର ସରକାର ୪ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ। ପରେ ଏହାକୁ ୫୦ ହଜାର ଟଙ୍କାକୁ ହ୍ରାସ କରି ଦେଇଥିଲେ। ରାଜ୍ୟରେ କୋଭିଡ୍‌ ମହାମାରୀରେ ମୃତ ବ୍ୟକ୍ତିମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍‌ଡିଆରଏଫ୍‌)ରୁ ସହାୟତା ପ୍ରଦାନ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି।