ଭୁବନେଶ୍ୱର,୧୨ା୨ (ସୌମ୍ୟରଞ୍ଜନ ରାଉତ):ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁ ଓ ଯାତ୍ରା ଖଳନାୟକ ସାଇ ସତ୍ୟଜିତ୍ ପଣ୍ଡାଙ୍କ ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି। ଏନେଇ ବୁଧବାର ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ଦୁହିଁଙ୍କ ଭିତରେ ଆଲୋଚନା ପରେ ସମାଧାନ ହୋଇଛି। ଉଭୟ ଗଣମାଧ୍ୟମ ଆଗରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଅଭିନେତା ସାଇ କହିଛନ୍ତି, ମୋର ଦେହ ଅସୁସ୍ଥ ଥିଲା। ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ବୁଧବାର ମଞ୍ଚରେ ଚଢିବି। ଏଥିପାଇଁ ବହୁତ୍ ଉତ୍ସାହିତ ରହିଛି ବୋଲି ସେ କହିଛନ୍ତି। ସେହିପରି ନାଣ୍ଡୁ ବାବୁ କହିଛନ୍ତି, ସାଇଙ୍କ ଦେହ ଖରାପ ଥିବାରୁ ତାଙ୍କୁ ଦେଖା କରିଥିଲି। ସେ ମଞ୍ଚରେ ଆଗଭଳି ଅଭିନୟ କରିବାକୁ ଯାଉଛନ୍ତି। ଏଥିସହ ମଞ୍ଚ ଚଢିବାକୁ ତାଙ୍କୁ ଅନୁମତି ମିଳିଛି। ମୟୂରଭଞ୍ଜ ଉଦଳାରେ ବୁଧବାର ହେବାକୁ ଥିବା ଯାତ୍ରା ‘ଏଇ ବୋଧେ ଶେଷ ଦେଖାରେ’ ସାଇ ଅଭିନୟ କରିବେ ବୋଲି ସେ କହିଛନ୍ତି। ଏହି ସମାଧାନ ବେଳେ ସାଇଙ୍କ ମା’ବାପା ଉପସ୍ଥିତ ଥିଲେ।