ଭୁବନେଶ୍ୱର, ୧୯।୪: ନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ। ନିଦର୍ବନ୍ଦ୍ବରେ ସଭାପତି ନିର୍ବାଚିତ ହେଲେ ନବୀନ । ବିଜେଡି ସାଂଗଠନିକ ନିର୍ବାଚନରେ ନବୀନ ନିର୍ବାଚିତ ହୋଇଛନ୍ତି।
ବିଜେଡି ସଭାପତି ଭାବେ ନବୀନ ପଟ୍ଟନାୟକଙ୍କ ନାମ ଶନିବାର ବିଧିବଦ୍ଧ ଭାବେ ଘୋଷଣା ହୋଇଛି। କାରଣ ଦଳରୁ ନବୀନଙ୍କ ବ୍ୟତୀତ ଆଉ କେହି ଏହିି ପଦ ଲାଗି ନାମାଙ୍କନପତ୍ର ଦାଖଲ କରି ନ ଥିଲେ। ପୂର୍ବରୁ ମଧ୍ୟ ୧୯ରେ ନବୀନ ସଭାପତି ଭାବେ ୯ମ ଥର ଲାଗି ଦାୟିତ୍ୱ ନେବେ ବୋଲି ଦଳ ଭିତରେ ଚର୍ଚ୍ଚା ହେଉଥିଲା। ଅନ୍ୟପଟେ ଦଳର ରାଜ୍ୟ ପରିଷଦ ବୈଠକ ଶଙ୍ଖ ଭବନଠାରେ ଶନିବାର ଅନୁଷ୍ଠିତ ହୋଇଛି। ଏଥିରେ ଦଳର ବହୁ ବରିଷ୍ଠ ନେତାମାନେ ଯୋଗଦେଇଥିଲେ।
ତେବେ ଆଗକୁ ଦଳର ରଣନୀତି କ’ଣ ହେବ ଏବଂ ଦଳର କେଉଁ ସବୁ ସଙ୍ଗଠନର ଦାୟିତ୍ୱ କେଉଁମାନଙ୍କୁ ବଣ୍ଟାଯିବ ସେସବୁ ବିଷୟରେ ଆଲୋଚନା ହୋଇପାରେ। ଅନ୍ୟପଟେ ଦଳରେ ବହୁ ବରିଷ୍ଠ ନେତାମାନେ କିଛିଦିନ ହେବ ସିଧାସଳଖ ନବୀନଙ୍କୁ ବିଭିନ୍ନ କଥାରେ ଚ୍ୟାଲେଞ୍ଜ କରିବାରେ ଲାଗିଛନ୍ତି। ଯାହାକୁ ନେଇ ଦଳ ଭିତରେ ଏକ ଭିନ୍ନ ପ୍ରକାର ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଦଳ ସାଙ୍ଗଠନିକ ନିର୍ବାଚନ ଏବଂ କାହାକୁ କେଉଁ ଦାୟିତ୍ୱ ଦେବ ସେସବୁ ସ୍ଥିର କରିବା ଦିଗରେ ଦଳୀୟ ମୁଖିଆଙ୍କ ଚିନ୍ତା ବଢ଼ିଯାଇଛି। ତେବେ ନବୀନ ସଭାପତି ଦାୟିତ୍ୱ ନେବା ପରେ ରାଜ୍ୟ ପରିଷଦ ବୈଠକରେ କେଉଁସବୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିବ।