ପାଟଣା,୨୮ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲାପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ନିହ୍ନୁଆ ଛକ ନିକଟରେ ବୁଧବାର ନବ ନିର୍ମାଣ କୃଷକ ସଂଗଠନ ତରଫରୁ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତି । ଫଳରେ ତୁରୁମୁଙ୍ଗା ବଜାର ବନ୍ଦ ସହ ଜାତୀୟ ରାଜପଥ ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ମୋଟର ଅଟକି ରହିଥିଲା। ତେବେ ପାଟଣା ଓ ସାହାରପଡ଼ା ମୁଖ୍ୟାଳୟରେ ବାଜାର ସ୍ବାଭାବିକ ଥିବାବେଳେ ଘରୋଇ ବସ୍ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଥିଲା।
କୃଷି, କୃଷକ ଓ ଲୋକଙ୍କର ବିଭିନ୍ନ ସମସ୍ୟାକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜିର ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ ଏହି ବନ୍ଦ ପାଳନ ହୋଇଛି। ବିଭିନ୍ନ ଦାବି ମଧ୍ୟରେ ଧାନ ମଣ୍ଡିରେ ୫ ରୁ ୭ କିଲୋ କଟ୍ନୀ ଛଟ୍ନୀର ବନ୍ଦ, ସ୍ମାର୍ଟ ମିଟର ନାଁରେ ଟାଟା ପାଓ୍ବାର ସାଧାରଣ ଜନତାଙ୍କୁ କରୁଥିବା ଶୋଷଣ, ପ୍ରଦୂଷଣ ନାଁରେ ଜନତାଙ୍କୁ ୮ରୁ ୧୦ହଜାର ଟଙ୍କା ଫାଇନ୍ କରାଯିବା ପ୍ରତିବାଦରେ ନବ ନର୍ମାଣ କୃଷକ ସଂଗଠନର ଶତାଧିକ କର୍ମକର୍ତ୍ତା ଆନ୍ଦୋଳନ କରିଥିବା ସୂଚନା ମିଳିଛି। ଏହି ଆନ୍ଦୋଳନ ସକାଳ ୬ରୁ ଦିନ ୨ଟା ଯାଏ ଚାଲିବ। ନବ ନିର୍ମାଣ କୃଷକ ସଂଗଠନ ଜିଲା ସହ ସଂଯୋଜକ ଖଗେଶ୍ୱର ମହାନ୍ତ, ନବ ନିର୍ମାଣ କୃଷକ ସଂଘ ମହିଳା ସଭାପତି ବିଳାସିନୀ ମହାନ୍ତ, ନବନିର୍ମାଣ କୃଷକ ସଂଘ ପାଟଣା ବ୍ଲକ ସଭାପତି ରାଜ ବଲ୍ଲଭ ମିଶ୍ର, ରାଜ କିଶୋର ମହାନ୍ତ, ଦୁର୍ଯ୍ୟୋଧନ ମହାନ୍ତ, ମଧୂମିତା ମହାନ୍ତ, ତରଣୀ ସେନ ମହାନ୍ତ, ସନାତନ ମହାନ୍ତ, ବିଜୟ ସେଠୀ ପ୍ରମୁଖ ନେତୃତ୍ୱରେ ଏହି ରାସ୍ତା ଅବରୋଧ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ବ୍ଲକ ସଭାପତି ଗୋବିନ୍ଦ ମହାନ୍ତ, କଂଗ୍ରେସ ନେତା ବାଡ଼ିଆ ସାହୁ, ସୁବଳ ସାହୁ, ମାନସ ନାଏକ, ବ୍ରଜ ନାଏକ ପ୍ରମୁଖ ସାମିଲ ଥିଲେ।