ନବ ଦାସ ହତ୍ୟା ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍‌

ଭୁବନେଶ୍ୱର,୧୭ା୩: ନବ ଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ କରିଛନ୍ତି ନବ ଦାସଙ୍କ ସ୍ତ୍ରୀ। ସେ ଇ-ମେଲ୍‌ ଜରିଆରେ ସାକ୍ଷାତକାରର ସମୟ ମାଗିଛନ୍ତି। ଇ-ମେଲ୍‌ ସହ ପୋଷ୍ଟାଲରେ ମଧ୍ୟ ଏକ ଚିଠି ପଠାଇ ସମୟ ମାଗିଛନ୍ତି ନବ ଦାସଙ୍କ ସ୍ତ୍ରୀ। ସିବିଆଇ ତଦନ୍ତ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଏନେଇ ନବ ଦାସଙ୍କ ପୁଅ ବିଶାଳ ଦାସ ସୂଚନା ଦେଇଛନ୍ତି। ଗତ ୧୧ ତାରିଖରେ ମା’ ଇ-ମେଲ୍‌ କରିଥିବା ପୁଅ କହିଛନ୍ତି।

ମାମଲାର ବିବରଣୀ ଅନୁସାରେ, ନବ ଦାସଙ୍କୁ ୨୦୨୩ ଜାନୁଆରୀ ୨୯ରେ ହତ୍ୟା କରାଯାଇଥିଲା। ବ୍ରଜରାଜନଗରର ଗାନ୍ଧୀ ଛକଠାରେ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ୪ ରାଉଣ୍ଡ ଗୁଳି ଚାଳନାକରି ଏହି ହତ୍ୟାକାଣ୍ଡ ଘଟାଇଥିଲେ। ଏହି ହତ୍ୟା ଘଟଣାକୁ ୨ ବର୍ଷ ପୂରିଥିବାବେଳେ ଅଦ୍ୟାବଧି ତଦନ୍ତର କୌଣସି ଅଗ୍ରଗତି ହେଉନାହିଁ। ତେଣୁ ଆବେଦନକାରୀ ପିନାକ ପାଣି ମହାନ୍ତି ମାମଲାର ସିବିଆଇ ତଦନ୍ତ ଦାବିରେ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ଉକ୍ତ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନବ ଦାସ ହତ୍ୟା ଘଟଣା ସଂକ୍ରାନ୍ତୀୟ ରିପୋର୍ଟ ଦାଖଲ କରିବା ନିମନ୍ତେ ଆଦେଶ ଦେଇଥିଲେ।