ଭୁବନେଶ୍ୱର,୩୦।୧: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁକୁ ଏହା ଭିତରେ ୩ ବର୍ଷ ପୂରଣ ହୋଇଗଲାଣି। ୨୯ ଜାନୁଆରୀ ଗୁରୁବାର ନବଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ସଭା ଝାରସୁଗୁଡା ବେହେରାମାଲ ସ୍ଥିତ ନବଦାସ ଅଡ଼ିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ତ୍ର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା ଯୋଗ ଦେଇଥିଲେ। ସଭାରେ ପୂର୍ବତନ ବିଧାୟିକା ତଥା ନବଦାସଙ୍କ ଝିଅ ଦୀପାଳି ଦାସ ଏମିତି ଭାଷଣ ଦେଇଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।
ଶ୍ରଦ୍ଧାଞ୍ଜଳି ସଭାରେ ଦୀପାଳି କହିଛନ୍ତି, ଘଟଣା ଦିନ ବାପାଙ୍କର ଏକ ମିସ କଲ ୧୨ଟା ୨୭ ମିନିଟରେ ଆସିଥିଲା। ହେଲେ ପୋଲିସ FIRରେ ୧୨ଟା ୧୫ରେ ହତ୍ୟାକାଣ୍ଡ ଘଟିଥିବା ଉଲ୍ଲେଖ ରହିଛି। ଯାହାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି।
ଦୀପାଳି ଆହୁରି ମଧ୍ୟ କହିଛନ୍ତି, ହତ୍ୟା ଘଟଣାରେ ତଦନ୍ତ ପାଇଁ ଆମ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛୁ। କିନ୍ତୁ ଆଜି ଏହି ପ୍ରଶ୍ନର ଉତ୍ତର ଦେବା ମୋ ପାଇଁ ଉପଯୁକ୍ତ ସ୍ଥାନ ନୁହେଁ ବୋଲି ଦୀପାଳି କହିଛନ୍ତି।