
ଲକ୍ଷ୍ନୌ,୨।୭: ଉତ୍ତର ପ୍ରଦେଶର ନୋଏଡାର ଜଣେ ବ୍ୟବସାୟୀ ତାଙ୍କ ନିଜ ସ୍ତ୍ରୀଙ୍କୁ ପାକିସ୍ତାନୀ ଗୁପ୍ତଚର ବୋଲି ଅଭିଯୋଗ କରିଥିଲେ। ବ୍ୟବସାୟୀ କହିଛନ୍ତି, ତାଙ୍କ ସ୍ତ୍ରୀ ଅନେକ ଥର ପାକିସ୍ତାନ ଏବଂ ଚାଇନା ଯାଇଛନ୍ତି। ତାଙ୍କ ବିବାହର ମାତ୍ର ତିନି ମାସ ପରେ ସେ ନିଖୋଜ ହୋଇଯାଇଥିଲେ, ଯାହାକୁ ସେ ଏପର୍ଯ୍ୟନ୍ତ ଖୋଜୁଛନ୍ତି। କିନ୍ତୁ ସ୍ତ୍ରୀଙ୍କର କୌଣସି ସନ୍ଧାନ ମିଳିନାହିଁ। ବର୍ତ୍ତମାନ ସେ ଏହି ମାମଲାରେ ପୋଲିସଠାରୁ ତଦନ୍ତ ଦାବି କରିଛନ୍ତି।
ନୋଏଡାର ସେକ୍ଟର ୧୦୫ର ଜଜ କଲୋନିରେ ରହୁଥିବା ବ୍ୟବସାୟୀ ଲୋକେଶ ରାଠି ତାଙ୍କ ସ୍ତ୍ରୀଙ୍କ ବିରୋଧରେ ଦିଲ୍ଲୀ ଏବଂ ନୋଏଡା ପୋଲିସକୁ ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ସେ ତାଙ୍କ ସ୍ତ୍ରୀଙ୍କ ତଦନ୍ତ ଦାବି କରି କେନ୍ଦ୍ର ସରକାରଙ୍କୁ ଏକ ଚିଠି ମଧ୍ୟ ପଠାଇଛନ୍ତି। ପ୍ରାୟ ୬ ବର୍ଷ ପୂର୍ବେ ଲୋକେଶ ମଥୁରାର ଜଣେ ମହିଳାଙ୍କ ସହ ବିବାହ କରିଥିଲେ। ୨୦୧୯ ଡିସେମ୍ବର ମାସରେ ଉଭୟ ଏକ ବୈବାହିକ ୱେବସାଇଟ ମାଧ୍ୟମରେ ବିବାହ କରିଥିଲେ ଏବଂ ଲୋକେଶଙ୍କ ସ୍ତ୍ରୀ ମାର୍ଚ୍ଚ ୨୦୨୦ରେ ନିଖୋଜ ହୋଇଯାଇଥିଲେ।
ଲୋକେଶ ରାଠି କହିଛନ୍ତି, ତାଙ୍କ ସ୍ତ୍ରୀ ୨୦୨୦ରେ ହୋଲି ଅବସରରେ ତାଙ୍କ ବାପଘର ମଥୁରାକୁ ଯାଇଥିଲେ ଏବଂ ଫେରି ନ ଥିଲେ। ତାଙ୍କ ସ୍ତ୍ରୀଙ୍କୁ ଖୋଜିବା ପାଇଁ ସେ ନୋଏଡାର ସେକ୍ଟର-୩୯ ପୋଲିସ ଷ୍ଟେଶନରେ ନିଖୋଜ ମାମଲା ରୁଜୁ କରିଥିଲେ। ମହିଳାଙ୍କୁ ଖୋଜାଖୋଜି ବେଳେ ନୂତନ ରହସ୍ୟ ଉନ୍ମୋଚିତ ହୋଇଥିଲା। ଏବେ ଲୋକେଶ ତାଙ୍କ ସ୍ତ୍ରୀଙ୍କ ପାସପୋର୍ଟର ତଦନ୍ତ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି।
ଲୋକେଶ ରାଠି କହିଛନ୍ତି,ତାଙ୍କ ସ୍ତ୍ରୀ ଅନେକ ଥର ପାକିସ୍ତାନ ଯାଇଛନ୍ତି। ଏହାସହିତ ସେ ୨୦୦୪ ମସିହାରେ ପଢିବା ପାଇଁ ଚୀନ ଯାଇଥିଲେ। ତାଙ୍କ ସ୍ତ୍ରୀଙ୍କ ପ୍ରଥମ ବିବାହ ୨୦୦୮ ମସିହାରେ ହୋଇଥିଲା। ସେ ପାକିସ୍ତାନର ଅତିକ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ପୁଅ ମଧ୍ୟ ଅଛି, ଯିଏ ପାକିସ୍ତାନରେ ରହେ। ମୋ ସ୍ତ୍ରୀ ଚାଇନାରେ ରହୁଥିଲେ। ସେତେବେଳେ ମଧ୍ୟ ସେ ପାକିସ୍ତାନ ଯାଇଥିଲେ ଏବଂ ସେଠାରେ ତିନି ମାସରୁ ଅଧିକ ସମୟ ରହିଥିଲେ।
ଲୋକେଶ ଏହା ମଧ୍ୟ କହିଛନ୍ତି ଯେ, ଯେତେବେଳେ ସେ ତାଙ୍କ ସ୍ତ୍ରୀଙ୍କ ପାକିସ୍ତାନ ଗସ୍ତ ଏବଂ ସେ କେଉଁଠି ଅଛନ୍ତି ତାହା ଜାଣିବାକୁ ଚେଷ୍ଟା କରିଥିଲେ, ତାଙ୍କୁ ଏବଂ ତାଙ୍କ ପରିବାରକୁ ହତ୍ୟା ଧମକ ମିଳିବା ଆରମ୍ଭ ହୋଇଥିଲା। ଲୋକେଶଙ୍କ ପତ୍ନୀ ତାଙ୍କ ବିରୋଧରେ ଘରୋଇ ହିଂସା ଏବଂ ଯୌତୁକ ପାଇଁ ନିର୍ଯାତନା ଅଭିଯୋଗରେ ଏକ ମାମଲା ମଧ୍ୟ ଦାୟର କରିଥିଲେ। ଯୌତୁକ ର୍ନିଯାତନା ପାଇଁ ଏକ ଚାର୍ଜସିଟ ଦାଖଲ କରାଯାଇଥିଲା, ଯାହାକୁ ଲୋକେଶ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ତାଙ୍କ ସ୍ତ୍ରୀ ଘରୋଇ ହିଂସା ମାମଲାର ଶୁଣାଣି ସମୟରେ ହାଜର ନ ହେବା ଅଭିଯୋଗରେ ଅଭିଯୁକ୍ତ ଅଛନ୍ତି।