ମୋର ବିଜୟ ସୁନିଶ୍ଚିତ: ଘାସିରାମ ମାଝୀ

ନୂଆପଡ଼ା ଉପନିର୍ବାଚନରେ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସମେତ ସମୁଦାୟ ୧୪ ଜଣ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଚଳିତ ନିର୍ବାଚନକୁ ମିଶାଇ ୬ଷ୍ଠ ଥର ପାଇଁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। କେମିତି ରହିଛି ତାଙ୍କ ପ୍ରଚାର, ଲୋକେ ତାଙ୍କୁ କିଭଳି ଗ୍ରହଣ କରୁଛନ୍ତି ଓ ନୂଆପଡ଼ାକୁ ନେଇ କ’ଣ ରହିଛି ତାଙ୍କର ଭିଜନ ଆଦି ବିଷୟକୁ ନେଇ ଘାସିରାମଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ପୀତାମ୍ବର ସାହୁ।

ଆପଣଙ୍କ ନିର୍ବାଚନୀ ପ୍ରଚାର କେମିତି ଚାଲିଛି ?
-ମୁଁ ପ୍ରତ୍ୟହ ସକାଳ ୯ଟାରେ ଘରୁ ବାହାରି ରାତି ୧୧ଟା ପର୍ଯ୍ୟନ୍ତ ପ୍ରଚାର କରୁଛି। ଆମର ନିର୍ବାଚନ ପ୍ରଚାର ଜୋର୍‌ସୋର୍‌ରେ ଚାଲିଛି। ଛତିଶଗଡ଼ର ଭାନୁପ୍ରତାପପୁର, ଧନତରୀ, କୁରୁତ, ବ୍ରଜରାଜନଗର, ଭିଲାଇଗଡ, ସରେଇପାଲି, ଖଲ୍ଲାରୀ, ଭଟାପରା ଆଦି ନିର୍ବାଚନମଣ୍ଡଳୀର ପ୍ରାୟ ୧୦ ଜଣ କଂଗ୍ରେସ ବିଧାୟକ ଆସି ପ୍ରଚାର କରୁଛନ୍ତି।
ଆପଣ କେତେଥର ଓ କେଉଁ ଦଳରୁ ନିର୍ବାଚନ ଲଢ଼ିଛନ୍ତି ?
-ମୁଁ ଏହି ଉପନିର୍ବାଚନକୁ ମିଶାଇ ଷଷ୍ଠଥର ବିଧାୟକ ଭାବେ ନିର୍ବାଚନ ଲଢ଼ୁଛି। ସ୍ବାଧୀନ ଭାବେ ୨୦୦୦ ଓ ୨୦୨୪ରେ ନିର୍ବାଚନ ଲଢ଼ିଥିବା ବେଳେ ୨୦୦୯ରେ ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି)ରୁ ଲଢି ୧୯ ହଜାରରୁ ଅଧିକ ଭୋଟ ପାଇଥିଲି। ୨୦୧୪ ଓ ୨୦୧୯ରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିଥିଲି। ୨୦୨୪ରେ ସ୍ବାଧୀନ ଭାବରେ ଲଢ଼ି ପ୍ରାୟ ୫୧ ହଜାରରୁ ଅଧିକ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲି। ଏଥର ତୃତୀୟ ଥର ପାଇଁ କଂଗ୍ରେସରୁ ନୂଆପଡ଼ାରେ ନିର୍ବାଚନ ଲଢ଼ୁଛି।
କିଏ ଆପଣଙ୍କ ପାଇଁ ପ୍ରଚାର କରୁଛନ୍ତି ଓ ଆଗକୁ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି?
-ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ବାଚନ ପରିଚାଳନା ହେଉଛି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ଶୁକ୍ରବାର ଆସୁଥିବା ବେଳେ କହ୍ନେୟା କୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ସଚିନ ପାଇଲଟ ଶନିବାର ଏବଂ ଅଳକା ଲାମ୍ବା ମଧ୍ୟ ଆସି କଂଗ୍ରେସ ପାଇଁ ପ୍ରଚାର କରିବେ। ଏହାସହିତ ଅନେକ ବିଧାୟକ, ସାଂସଦ ଓ ଦଳର ବରିଷ୍ଠ କର୍ମୀ ନିର୍ବାଚନ ପ୍ରଚାର କରୁଛନ୍ତି।
ପ୍ରଚାର ବେଳେ କ’ଣ କହି ଲୋକଙ୍କୁ ଭୋଟ ମାଗୁଛନ୍ତି ?
-ପ୍ରଚାର ବେଳେ ନୂଆପଡ଼ା ଲାଗି ଦୀର୍ଘବର୍ଷ ଧରି କାମ କରିଥିବା ବିଷୟ ମନେପକାଇ ଦେଉଛି। ଶିକ୍ଷା, ମଣ୍ଡି ବ୍ୟବସ୍ଥାରେ ସୁଧାର, ଚାଷ ଓ ଚାଷୀ, ସ୍ବାସ୍ଥ୍ୟ, ସୁନାବେଡ଼ା ଚୁଟିଆ ଓ ଭୁଞ୍ଜିଆଙ୍କ ପାଇଁ ଅନେକ କାମ କରିଛି ବୋଲି ଲୋକଙ୍କୁ କହି ଭୋଟ ମାଗୁଛି। ଜଣେ ଆଇନଜୀବୀ ତଥା ଦରଦି ଓ କର୍ମଠ ନେତା ଭାବେ ଲୋକେ ମୋତେ ଗ୍ରହଣ କରୁଛନ୍ତି।
ନୂଆପଡ଼ାରେ କ’ଣ ପ୍ରମୁଖ ସମସ୍ୟା ରହିଛି ବୋଲି ଅନୁଭବ କରୁଛନ୍ତି ?
-ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, ମଣ୍ଡି ବ୍ୟବସ୍ଥା, ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି, ଶାସନ କଳ ଭୁଶୁଡ଼ିଥିବା, ଦାଦନ ଭଳି ଅନେକ ସମସ୍ୟା ନୂଆପଡ଼ାରେ ରହିଛି।
ବିଧାୟକ ଭାବେ ନିର୍ବାଚିତ ହେଲେ ନୂଆପଡ଼ା ପାଇଁ କ’ଣ ସବୁ ଭିଜନ ରହିବ ?
-ମୋର ପ୍ରଥମ ସ୍ବପ୍ନ ହେଲା ଶିକ୍ଷାର ଉନ୍ନତି। ଅଞ୍ଚଳର ବେଲଟୁକୁରୀ, ସୁନାବେଡା, ମିଛାପାଲି, ଆମନଆରା ଅଞ୍ଚଳରେ ଡିଗ୍ରୀ କଲେଜ ଖୋଲି ଛାତ୍ରୀଛାତ୍ରଙ୍କ ଉଚ୍ଚ ଶିକ୍ଷାର ବ୍ୟବସ୍ଥା କରିବା ଲକ୍ଷ୍ୟ ରହିଛି। ଏହା ସହିତ ନୂଆପଡ଼ା ନ୍ୟାଶନାଲ କଲେଜକୁ ସରକାରୀ କରିବା ପାଇଁ ଚେଷ୍ଟା କରିବି। ସ୍ବାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ ପ୍ରୟାସ କରିବି।
ଗତ ନିର୍ବାଚନରେ ଆପଣ ଆଦିବାସୀଙ୍କ ସମର୍ଥନରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ଦ୍ୱିତୀୟ ସ୍ଥାନରେ ଥିଲେ। ମାତ୍ର ଏହି ଉପନିର୍ବାଚନରେ ଆଦିବାସୀଙ୍କ ଭୋଟ ଭାଗ ଭାଗ ହେଉଛି ବୋଲି ଚର୍ଚ୍ଚା ହେଉଛି। ଏହାକୁ ନେଇ କ’ଣ କହିବେ?
-ମୋତେ ଆଦିବାସୀ ଭଉଣୀଭାଇ ଆଗରୁ ଭୋଟ ଦେଉଥିଲେ, ଏବେ ବି ଦେଉଛନ୍ତି। ଚଳିତ ଉପନିର୍ବାଚନରେ ମଧ୍ୟ ମୋ ପ୍ରତି ସେମାନଙ୍କ ସମର୍ଥନ ରହିଛି। ମୁଁ ଗଣ୍ଡ ସମାଜର ଜିଲା ସଭାପତି ରହିଥିବାବେଳେ ଅନେକ ଆଦିବାସୀ ସଂଘ ସହ ଜଡ଼ିତ ଅଛି। ମୁଁ ଆଦିବାସୀଙ୍କ ପାଇଁ ବହୁ କାମ କରିଛି। ପତୋରାରେ ବୁଢ଼ାଦେଓ ମନ୍ଦିର ନିର୍ମାଣ କରାଉଛି। ଅନ୍ୟମାନେ ଏହାକୁ ନେଇ ଅପପ୍ରଚାର କରୁଛନ୍ତି। ମୁଁ ଜଣେ ମାତ୍ର ଆଦିବାସୀ ପ୍ରାର୍ଥୀ ହୋଇଛି। ଜଣେ ଗୁଜରାଟରୁ ଆସି ପ୍ରାର୍ଥୀ ହୋଇଥିବା ବେଳେ ଅନ୍ୟ ଜଣେ ବରଗଡ଼ ଅଞ୍ଚଳରୁ ଆସି ପ୍ରାର୍ଥୀ ହୋଇଛନ୍ତି। ମୁଁ ହେଲି ମାଟିର ପୁଅ। ଲୋକେ ମଧ୍ୟ କହୁଛନ୍ତି ‘ମାଟିର ପୁଅ ଉପଯୁକ୍ତ ପ୍ରାର୍ଥୀ, ସେ ଆମ ସମସ୍ତଙ୍କ ପାଇଁ କାମ କରିବ’ ।
ଚଳିତ ବ୍ୟୟବହୁଳ ନିର୍ବାଚନରେ ଆପଣ ଅନ୍ୟ ଦଳ ସହିତ କେମିତି ତାଳ ଦେଇପାରିବେ ବୋଲି ଭାବୁଛନ୍ତି ?
-ମୋ ସାଙ୍ଗରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଅଛନ୍ତି। ସେମାନେ ପ୍ରତ୍ୟହ ମୋ ସହ କଥା ହୋଇ ମୋତେ ଉତ୍ସାହିତ କରୁଛନ୍ତି। ଆମ ସହ ଲୋକବଳ, ସଂଗଠନ ବଳ ଅଛି। ମୁଁ ପରିଶ୍ରମ କରୁଛି। ନିର୍ବାଚନ ଲଡ଼ିବାର ଦକ୍ଷତା ମୋର ଅଛି। ତେଣୁ ନିର୍ବାଚନରେ ବିଜୟୀ ହେବାରେ କୌଣସି ପ୍ରତିବନ୍ଧକ ହେବ ନାହିଁ ବୋଲି ମୁଁ ଭାବୁଛି।
ଆପଣ ବିଜୟ ପାଇଁ କେତେ ପ୍ରତିଶତ ଆଶାବାଦୀ?
-ମୋର ବିଜୟ ସୁନିଶ୍ଚିତ। ପ୍ରାୟ ୨ ହଜାର ପ୍ରତିଶତ ମୋର ବିଜୟ ପାଇଁ ମୁଁ ଆଶାବାଦୀ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?