ଘର ସମ୍ମୁଖରେ ବ୍ୟକ୍ତିଙ୍କୁ ହାଣି ଗଣ୍ଡିମୁଣ୍ଡ ଅଲଗା କରିଦେଲେ ଦୁର୍ବୃତ୍ତ

ଗୋପାଳପୁର,୭ା୭(ନବୀନ ରାଜ ଆଚାରୀ): ଗତ କିଛି ମାସ ହେଲା ଗଞ୍ଜାମ ଜିଲା ଅଶାନ୍ତ ହୋଇପଡ଼ିଛି। କେତେବେଳେ ହତ୍ୟା ଆଉ କେତେବେଳେ ଗଣବଳାତ୍କାର ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଛି। କିଛି ଦିନର ନୀରବତା ପରେ ପୁଣି ରବିବାର ରାତି ଗୋଳନ୍ଥରା ଥାନା ଅଞ୍ଚଳରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ଘର ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ଅତି ବୀଭତ୍ସ ଭାବେ ଖଣ୍ଡାରେ ହାଣି ଗଣ୍ଡିମୁଣ୍ଡକୁ ଅଲଗା କରିଥିବା ନେଇ ସୂଚନା ମିଳିଛି। ମୃତ ବ୍ୟକ୍ତି ସିଙ୍ଗାବାଡ଼ି ଗ୍ରାମର ଦିଲ୍ଲୀପ ପାତ୍ର ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।

ଏହି ଥାନା ଅଧିନସ୍ଥ ସିଙ୍ଗାବାଡ଼ି ଗ୍ରାମର ଦିଲ୍ଲୀପ ପାତ୍ର ଘରେ ଥିବା ବେଳେ ରାତି ପ୍ରାୟ ୧୧ଟା ସମୟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେହି ଗ୍ରାମର ୪/୫ ଜଣ ଦୁର୍ବୃତ୍ତ ଘରେ ପଶି ଯାଇଥିଲେ। ଦିଲ୍ଲୀପ ସହିତ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇ ଏହା ଉଗ୍ରରୂପ ଧାରଣ କରିଥିଲା। ଘର ବାରଣ୍ଡାରେ ନିକଟରେ ଦୁର୍ବୃତ୍ତମାନେ ମିଶି ଖଣ୍ଡାରେ ଦିଲ୍ଲୀପଙ୍କ ମୁଣ୍ଡ ଓ ଗଣ୍ଡି ହାଣି ଦେଇଥିଲେ। ଦିଲ୍ଲୀପ ଗୁରୁତର ହୋଇ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା। ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଓ ଅନ୍ୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରିବାର ଲୋକ ଓ ପୋଲିସ ଗୁରୁତର ଦିଲ୍ଲୀପଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଘଟଣା ପରଠାରୁ ଦୁର୍ବୃତ୍ତମାନେ ଫେରାର ହୋଇଥିବା ସୂଚନା ମିଳିଛି। ଅନ୍ୟ ପଟେ ଅଭିଯୁକ୍ତ ଧରିବା ପାଇ ପୋଲିସ ପକ୍ଷରୁ ଟିମ୍‌ ଗଠନ ହୋଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି। ମୃତ୍ୟୁ ଦିଲ୍ଲୀପ ଭାଜପା କର୍ମୀ ଥିବା ଜଣାପଡ଼ିଛି।

Share