ତ୍ରିକୋଣୀୟ ପ୍ରେମରୁ ହତ୍ୟା, ବନ୍ଧା ହେଲେ ୩ ଅଭିଯୁକ୍ତ

ବରଗଡ଼,୪।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ନିକଟସ୍ଥ ଘୁଲିପାଲି ରାସ୍ତାରେ ଯୁବକ ଚନ୍ଦନ ରାଉତଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ରବିବାର ପୋଲିସ ଘଟଣାର ପର୍ଦ୍ଦାଫାଶ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଟାଉନ ଥାନା ଅନ୍ତର୍ଗତ ବିଶିପଡ଼ାର ସୁମିତ ସୂନା, ରାଉତପଡାର ସୁମନ ଉର୍ମା ଏବଂ କଟାପାଲିର ଅଭିଷେକ ପାତ୍ର। ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଏବଂ ଫେରାର ହେବା ପାଇଁ ବ୍ୟବହୃତ କାରକୁ ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ଏକ ମାମଲା (ନଂ.୫/୨୬) ରୁଜୁ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ବରଗଡ଼ କୋର୍ଟ ଚାଲାଣ କରାଯାଇଛି। ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ବରଗଡ଼ ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।

ମୃତ ଚନ୍ଦନ ଏବଂ ଅଭିଯୁକ୍ତ ସୁମିତ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ଅଭିଯୁକ୍ତ ସୁମିତ ଚନ୍ଦନଙ୍କୁ ସବୁଦିନ ପାଇଁ ହଟାଇ ଦେବା ପାଇଁ ଚାହିଁ ଥିଲେ। ଯୋଜନା ମୁତାବକ ସୁମିତ ଅନ୍ୟ ଅଭିଯୁକ୍ତଙ୍କ ସହିତ ମିଶି ଚନ୍ଦନଙ୍କୁ ହତ୍ୟା କରିଥିଲେ।

ପ୍ରକାଶ ଥାଉକି, ଗତ ଶନିବାର ଘୁଲିପାଲି ରାସ୍ତାରୁ ଚନ୍ଦନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଗଳାକାଟି ତାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ମୃତ ଯୁବକଙ୍କ ବାପା ଶରତଙ୍କ ଏତଲାକୁ ଭିତ୍ତି କରି ପୋଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।

Share