ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲାଜଜ୍-୩ ବିବସ୍ବତ ଗୌତମ ମଙ୍ଗଳବାର ଏକ ଶିଶୁକନ୍ୟା ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ହତ୍ୟାରେ ସମ୍ପୃକ୍ତ ଶିଶୁକନ୍ୟାଙ୍କ ବାପା ଓ ସାବତ ମା’ଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଦୋଷୀମାନେ ହେଲେ ଏ. ଦିବାକର(୩୬) ଓ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଏସ୍. ତପେୟା (୩୨)।
୨୦୧୫ରେ ଦିଗପହଣ୍ଡିର କେ.ଭୀମଙ୍କ ଝିଅ କେ. ଶଶୀ ତେନ୍ତୁଳିଆ ସାହିର ଏ. ଦିବାକରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ସେମାନଙ୍କର ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା। ୨୦୨୦ରେ ଶଶୀଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ତପେୟାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସାବତ ମା’ ତପେୟା ଘରେ ଥିବା ୬ବର୍ଷର ଶିଶୁକନ୍ୟା କେ. ତପସ୍ବୀଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏଥିରେ ବାପା ମଧ୍ୟ ସାମିଲ ରହିଥିଲେ।
୨୦୨୨ ଫେବୃଆରୀ ୨୮ରେ ଘର ଭିତରେ ତପସ୍ବୀଙ୍କ ମୃତଦେହ ପଡ଼ିଥିବା ତାଙ୍କ ଅଜା କେ.ଭୀମ ଶୁଣିବା ପରେ ଝିଅ ଘରକୁ ଯାଇ ଜ୍ୱାଇଁଙ୍କୁ ଘଟଣା ବିଷୟରେ ପଚାରିଥିଲେ। ହେଲେ ସେ କୌଣସି ସଠିକ ଉତ୍ତର ଦେଇ ନ ଥିଲେ।
ନାତୁଣୀଙ୍କୁ ଦିବାକର ଓ ତପେୟା ପିଟି ହତ୍ୟା କରିଥିବା ନେଇ ଭୀମ ଦିଗପହଣ୍ଡି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୯୨/୨୨ରେ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଘଟଣାସ୍ଥଳରୁ ପୋଲିସ ରକ୍ତ ଲାଗିଥିବା ବାଡ଼ି ଜବତ କରିବା ସହ ଦିବାକର ଓ ତପେୟାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ତତ୍କାଳୀନ ଇନ୍ସପେକ୍ଟର ଦୀପ୍ତି ରଞ୍ଜନ ବେହେରା ଉକ୍ତ ଦମ୍ପତିଙ୍କୁ ଅଭିଯୁକ୍ତ ଦର୍ଶାଇ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲା। ମାମଲାର ବିଚାର ବେଳେ ୨୬ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ରାୟ ପ୍ରକାଶ ବେଳେ ଜେଲରେ ଥିବା ଦିବାକାର ଓ ତପେୟାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସରକାରଙ୍କ ପକ୍ଷରୁ ଏପିପି ରଜତ କୁମାର ଦାଶ ମାମଲା ପରିଚାଳନା କରୁଥିଲେ।