ତରଭା,୧୫ା୨(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ଥାନା ପାଣିମୁରା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଷଜମିକୁ ପାଣି ମଡାଇବାକୁ କେନ୍ଦ୍ରକରି ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ କଳହ ଉଗ୍ରରୂପ ନେଇଥିଲା। ପୁତୁରାଙ୍କ ଫାଉଡ଼ା ମାଡ଼ରେ କାକାଙ୍କ ମୃତ୍ୟୁ ଘଟିଛି।
ପୋଲିସ ସୂଚନା ମୁତାବକ, ତରଭା ଥାନା ପାଣିମୁରା ନିବାସୀ ବିପିନ ମଲ୍ଲିକଙ୍କ ଚାଷଜମିରୁ ତାଙ୍କ ସାନଭାଇ ନବୀନ ପାଣି କାଟିଦେବାକୁ କେନ୍ଦ୍ରକରି ଶନିବାର ଅପରାହ୍ନରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି ସମୟରେ ବିପିନଙ୍କ ପୁଅ ମଣ୍ଟୁ(୨୮) ଫାଉଡ଼ା ସାହାଯ୍ୟରେ କାକା ନବୀନ ମଲ୍ଲିକ(୬୦)ଙ୍କ ମୁଣ୍ଡରେ ଆଘାତ କରିବାରୁ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ମୃତ ନବୀନଙ୍କ ପୁଅ ସତ୍ୟାନନ୍ଦଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୩୯/୨୫) ରୁଜୁ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ତରଭା ଡାକ୍ତରଖାନା ଆଣିଛି। ରବିବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଆଇଆଇସି ଅନିତା କିଡୋ କହିଛନ୍ତି। ବିପିନ ଓ ମଣ୍ଟୁଙ୍କୁ ପୋଲିସ ଆଣି ପଚରାଉଚରା କରୁଛି।