ରାୟଗଡ଼ା/ଅମ୍ବାଦଳା,୯।୧(ଆଶିଷ ରଞ୍ଜନ ପଣ୍ଡା/ରବୀନ୍ଦ୍ର ପଣ୍ଡା): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ବାପାଙ୍କ ପୁଅ ଟାଙ୍ଗିଆ ଚୋଟରେ ସାନବାପାଙ୍କ ପୁଅର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଥାନା ଇଚ୍ଛାପୁର ପଞ୍ଚାୟତର ବଡ଼ନାଗଝରି ଗ୍ରାମରେ ଶୁକ୍ରବାର ଏଭଳି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ବଡ଼ନାଗଝରି ଗ୍ରାମର ବଡ଼ନୁନା କଚିମ୍। ଅମ୍ବାଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ବିଶ୍ୱମ୍ବର କଚିମଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ସାନ ବାପା ପୁଅ ବଡନୁନା ତାଙ୍କ କାନ୍ଦୁଲ ବାଡ ରକ୍ଷଣାବେକ୍ଷଣ ପାଇଁ ଜମିକୁ ଯାଉଥିବାବେଳେ ପୂର୍ବରୁ ବଡ଼ବାପା ପୁଅ ବିଶ୍ୱମ୍ବର ତାଙ୍କ ଜମିରେ ଥିବା ଏକ ଜାମୁ କୋଳି ଗଛ କାଟୁଥିବା ଦେଖିଥିଲେ। ଏତେ ବଡ଼ ଗଛ କାହିଁକି କାଟି ଦେଉଛ ବୋଲି ବଡନୁନା ତାଙ୍କ ବଡ଼ବାପା ପୁଅ ଭାଇ ବିଶ୍ୱମ୍ବରକୁ ପଚାରିବାରୁ ସେ ଗଛରୁ ଓହ୍ଲାଇ ଆସିଥିଲେ। ଉଭୟଙ୍କ ମଧ୍ୟରେ ଗଛ କଟାକୁ ନେଇ ବଚସା ହେବା ପରେ ବିଶ୍ୱମ୍ବର ଉତ୍ତ୍ୟକ୍ତ ହୋଇ ହାତରେ ଧରିଥିବା ଟାଙ୍ଗିଆରେ ବଡନୁନାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ବଡନୁନାଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ବଡ଼ନୁନାଙ୍କ ସ୍ତ୍ରୀ ଓ ନାବାଳିକା ଝିଅ କାନ୍ଦୁଲ ବାଡ଼ରେ ଅପେକ୍ଷା କରିଥିବାବେଳେ ସେ ନ ପହଞ୍ଚତ୍ବାରୁ ତାଙ୍କୁ ଖୋଜାଖୋଜି କରିଥିଲେ। ବାପାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଝିଅ ଦେଖି ଗାଁ ଲୋକଙ୍କୁ ଜଣାଇବା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ। ଅମ୍ବାଦଳା ଥାନା ଅଧିକାରୀ କଳ୍ପନା ବେହେରା ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ସହିତ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ପୋଲିସ ଜବତ କରିଛି। ଏ ନେଇ ଅମ୍ବାଦଳା ଥାନାରେ କେସ ନଂ ୫/୨୬ରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି। ପୋଲିସ ହତ୍ୟାକାରୀ ଭାଇ ବିଶମ୍ବରଙ୍କୁ ଗିରଫ କରିଥିବାବେଳେ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ବେହେରା ସୂଚନା ଦେଇଛନ୍ତି।