କଳିଙ୍ଗନଗର,୪ା୪(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ବାରାଖାଇ ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣେ ନାବାଳକଙ୍କୁ ଶୁକ୍ରବାର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଗ୍ରାମର ଚଗୁଲୁ ଓରଫ୍ ସୁଶାନ୍ତ ମଲିକଙ୍କ ପୁଅ ଶୁଭମ୍(୧୩)। ସେ ୮ମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ବଡ଼ପୁଅ ଶୁଭେନ୍ଦୁଙ୍କୁ ଘରେ ଛାଡ଼ି ବାପାମା’ ସାନପୁଅଙ୍କୁ ନେଇ ମଧ୍ୟାହ୍ନରେ ଦାନଗଦି ମେଡିକାଲକୁ ଡାକ୍ତର ଦେଖାଇବାକୁ ଯାଇଥିଲେ। ମେଡିକାଲରୁ ଫେରିବାବେଳକୁ ବଡ଼ପୁଅଙ୍କ ମୃତଦେହ ଘରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଡ଼ୋଶୀ ଅଭିମନ୍ୟୁ ପେରେଇ ଓ ତାଙ୍କର କେତେଜଣ ସହଯୋଗୀ ମିଶି ପୁଅଙ୍କୁ ହତ୍ୟା କରିଥିବା ସୁଶାନ୍ତ ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବରୁ ଅଭିଯୁକ୍ତ ବାରମ୍ବାର ନାନା ଧମକ ଦେଇ ଆସୁଥିଲେ। ଏବେ ପୁଅକୁ ଜୀବନରୁ ମାରିଦେଇ ଘରେ ଟାଙ୍ଗିଦେଲେ ବୋଲି କହିଛନ୍ତି ଶୁଭମଙ୍କ ମା’। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସାଇଣ୍ଟିଫିକ ଟିମ୍ ସହାୟତାରେ ଘଟଣାର ତଦନ୍ତ ଜାରିରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି। ଏନେଇ ଥାନାରେ ନଂ.୯୦/୨୬ରେ ଏକ ମାମଲା ରୁଜୁ ହୋଇଛି।