ନୂଆପଡ଼ା,୩୦।୫(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଜଡାମୁଣ୍ଡା ଗାଁରେ ୨୦୧୯ ଅଗଷ୍ଟ ମାସରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଥିଲା। ଚାଷ ଜମିରେ ଅଧିକ ଅମଳ ସହ ଗୁଣି ଗାରେଡିକୁ ବିଶ୍ୱାସ କରି ବଡ ବାପା ନିଜ ସାନ ଭାଇ ପୁଅ(ପୁତୁରା)ଙ୍କୁ ବଳି ପକାଇ ହତ୍ୟା କରିଥିଲେ। ା ଏହି ମାମଲାର ବିଚାର କରି ନୂଆପଡ଼ା ଅତିରିକ୍ତ ଜିଲା ଦୌରାଜଜ ସୁନୀଲ କୁମାର ଦାସ ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଚିନ୍ତାମଣି ମାଝିଙ୍କୁ ଶୁକ୍ରବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୂଚନା ଅନୁଯାୟୀ, ୨୦୧୯ ଅଗଷ୍ଟ ୮ରେ କୋମନା ଥାନା ଜଡାମୁଣ୍ଡା ଗାଁର ଚିନ୍ତାମଣି ନିଜ ନାବାଳକ ପୁତୁରା ଧନସିଂ ମାଝିଙ୍କୁ ଗଛ କାଟିବା ପାଇଁ ଚାଷ ଜମିକୁ ଡାକି ନେଇଥିଲେ । ପରେ ପୂଜାପାଠ କରି ଧନ ସିଂଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ। ସେତିକିବେଳେ ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା୧
ଅଭିଯୋଗ ପରେ କୋମନା ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଚିନ୍ତାମଣିଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଥିଲା। ଏନେଇ ଅତିରିକ୍ତ ଦୌରାଜଜଙ୍କ କୋର୍ଟରେ ଏସ୍ଟି କେସରେ ମାମଲା ବିଚାରାଧିନ ରହିଥିଲା ।
ଶୁକ୍ରବାର ନୂଆପଡ଼ା ଅତିରିକ୍ତ ଦୌରାଜଜ ୨୩ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବଡ ବାପା ଚିନ୍ତାମଣିଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଟଙ୍କା ଅନାଦାୟ ଅଧିକ ୩ମାସ ଜେଲ ଦଣ୍ଡ ଭୋଗିବାକୁ ରାୟର ଉଲ୍ଲେଖ କରଯାଇଛି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି କାର୍ତ୍ତିକେଶ୍ୱର ମହାରଣା ମାମଲା ପରିଚାଳନା କରିଥିଲେ।