ମୁମ୍ବାଇ,୧୩।୨: ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଦିନ ଦ୍ୱିପ୍ରହରରେ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଛି। ମୁମ୍ବାଇର ଶିବାଜୀ ନଗର ଅଞ୍ଚଳରେ ଘଟିଥିବା ଏହି ସମ୍ବେଦନଶୀଳ ଘଟଣା ପଛରେ ଏକ “ତ୍ରୀକୋଣୀୟ ପ୍ରେମ” ଲିଙ୍କ ରହିଥିବା ପୋଲିସ ସନ୍ଦେହ କରୁଛି। ଘଟଣାର ୧୨ ଘଣ୍ଟା ମଧ୍ୟରେ ପୋଲିସ ଜଣେ ୨୫ ବର୍ଷୀୟା ମୁଖ୍ୟ ଅଭିଯୁକ୍ତ ଯୁବତୀ ଏବଂ ଜଣେ ୨୩ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି।
ମୃତକଙ୍କ ପରିଚୟ ମୃତ ଯୁବତୀଜଣକ ହେଉଛନ୍ତି ଶିଫା ଶେଖ (୧୯)। ପୋଲିସ ସୂଚନା ଅନୁଯାୟୀ, ଶିଫାଙ୍କୁ ଜଣେ ମହିଳା ଫୋନ କରି ଡକାଇଥିଲେ। ଶିବାଜୀ ନଗରର ଫୁରକାନିଆ ମସଜିଦ ନିକଟରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଯୁବତୀଜଣକ ଶିଫାଙ୍କ ଗାଲକୁ ଲକ୍ଷ୍ୟ କରି ଅତି ନିକଟରୁ ଗୁଳି ଚଳାଇଥିଲେ।
ଗୁଳିଟି ଶିଫାଙ୍କ ଗାଲ ଦେଇ ମୁଣ୍ଡ ଭିତରେ ପଶିଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଘାଟକୋପର ସ୍ଥିତ ରାଜାବାଡ଼ି ହସ୍ପିଟାଲକୁ ନେଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ଘଟଣା ପରେ ମୁମ୍ବାଇ ପୋଲିସ ସିସିଟିଭି ଫୁଟେଜ ଏବଂ ଗୁପ୍ତ ସୂଚନା ଆଧାରରେ ଜାଲ ବିଛାଇଥିଲା। ମାତ୍ର ୧୨ ଘଣ୍ଟା ମଧ୍ୟରେ ହତ୍ୟାକାରୀ ଯୁବତୀ ଓ ତାଙ୍କୁ ସହଯୋଗ କରିଥିବା ଯୁବକଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ହୋଇଥିବା ହତ୍ୟାକାଣ୍ଡ ବୋଲି ଜଣାପଡିଛି।

