ଖାଲି ପଦ ପୂରଣ ପାଇଁ ପ୍ରକାଶ ପାଇବ ଏକାଧିକ ବିଜ୍ଞପ୍ତି: କ୍ୟାବିନେଟର ଅନୁମୋଦନ 

ଭୁବନେଶ୍ୱର,୨୫।୧୧(ରବିନାରାୟଣ ଜେନା):ରାଜ୍ୟରେ ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ସ୍ବଚ୍ଛତା ଆଣିବା ଲାଗି ରାଜ୍ୟ ସରକାର ନୂତନ ଆୟୋଗ ଗଠନ କରିବାକୁ ନିକଟରେ ନିଷ୍ପତ୍ତି ନେଇଥିବାବେଳେ ସୋମବାର ରାଜ୍ୟ କ୍ୟାବିନେଟ୍‌ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।
ଲୋକସେବାଭବନରେ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ  ଖାଲି ପଦକୁ ତ୍ୱରିତ୍‌ ଭିତ୍ତିରେ ପୂରଣ କରିବା ଲାଗି ବର୍ଷକରେ ଏକାଧିକ ଥର ବିଜ୍ଞପ୍ତି ପ୍ରକାଶ ପାଇବାକୁ ନିଷ୍ପତ୍ତି ହୋଇଛି। କ୍ୟାବିନେଟ ବୈଠକ ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ସୁରେନ୍ଦ୍ର କୁମାର   ସାଧାରଣ ପ୍ରଶାସନ ବିଭାଗର ତିନୋଟି ଅନୁମୋଦନପ୍ରାପ୍ତ ପ୍ରସ୍ତାବ ଉପରେ ଗଣମାଧ୍ୟମକୁ କହିଛନ୍ତି,  ରାଜ୍ୟ ସରକାରଙ୍କ ଅଧୀନ ‘ଖ’ ଓ ‘ଗ’ ବର୍ଗର ସ୍ବତନ୍ତ୍ର ସେବା ଓ ପଦବୀରେ ନିଯୁକ୍ତ ଲାଗି ମିଳିତ ସ୍ନାତକସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ-୨୦୨୨ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି। କ୍ୟାବିନେଟର ନିଷ୍ପତ୍ତିକ୍ରମେ ନିୟମାବଳୀ-୨୦୨୨ର ସିଡ୍ୟୁଲ-୮ରେ ୧୪ଗୋଟି ନୂତନ ପଦବୀକୁ
ଅନ୍ତର୍ଭୁକ୍ତ କରାଯିବା ସହିତ ପୂର୍ବରୁ ଅନ୍ତର୍ଭୁକ୍ତ ହୋଇଥିବା ୪ଟି
ପଦବୀକୁ (କ୍ରମିକ ସଂଖ୍ୟା ୧୦, ୧୪, ୧୫ ଓ ୧୭) ବାଦ୍‌ ଦିଆଯିବ। ଏହାଦ୍ବାରା ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ସମସ୍ତ ୩୯ ଗୋଟି
ସ୍ବତନ୍ତ୍ର ପଦବୀଗୁଡ଼ିକୁ ମିଳିତ ସ୍ନାତକସ୍ତର ନିଯୁକ୍ତି ପରୀକ୍ଷାରେ
ପରିଚାଳିତ କରିପାରିବେ।
କୁମାର ଆହୁରି କହିଛନ୍ତି,   ପୂର୍ବରୁ  ‘ଖ’ବର୍ଗ ଏବଂ ‘ଗ’ ବର୍ଗ ଅନ୍ତର୍ଗତ ବିଭିନ୍ନ ସେବା ଓ ପଦବୀରେ ନିଯୁକ୍ତି ନିମନ୍ତେ ମିଳିତ ସ୍ନାତକସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ-୨୦୨୨ର ସିଡ୍ୟୁଲ-୧ ଭିତରେ ୨୦ ଗୋଟି ବିଭିନ୍ନ ପଦବୀ ଅନ୍ତର୍ଭୁକ୍ତ କରାଯାଇଥିଲା। ବର୍ତ୍ତମାନ, ଉପରୋକ୍ତ ନିୟମାବଳୀ-୨୦୨୨ର ନିୟମ-୩ରେ ଧାର୍ଯ୍ୟ କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ, ଏହି ଉଭୟ ବର୍ଗର ବିଭିନ୍ନ ସେବା ଓ ପଦବୀରେ ନିଯୁକ୍ତି ନିମନ୍ତେ ମିଳିତ ସ୍ନାତକସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ-୨୦୨୨ର ସିଡୁଲ-୧୪ ଗୋଟି ନୂତନ ପଦବୀକୁ ଅନ୍ତର୍ଭୁକ୍ତ କରାଯିବ; ଯାହାଫଳରେ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ସର୍ବମୋଟ ୨୪ ଗୋଟି ଭିନ୍ନ ପଦବୀଗୁଡ଼ିକୁ ମିଳିତ ସ୍ନାତକସ୍ତର ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ।
ସେହିପରି   ନିୟମାବଳୀ-୨୦୨୨ର ନିୟମ-୫(ବି)ର ବ୍ୟବସ୍ଥା ଅନୁଯାୟୀ, ବିଭିନ୍ନ ବିଭାଗ ତଥା ମୁଖ୍ୟ ବିଭାଗୀୟ ଦପ୍ତରଙ୍କଠାରୁ ଅଧିକରଣପତ୍ର ଆଧାରରେ ଆୟୋଗ ପ୍ରତିବର୍ଷ ଖାଲିଥିବା ପଦବୀ ପୂରଣ ପାଇଁ ସେହିବର୍ଷ ଥରେ ମାତ୍ର ବିଜ୍ଞପ୍ତି ପ୍ରକାଶ କରି ମିଳିତ ନିଯୁକ୍ତି ପରୀକ୍ଷା ପରିଚାଳନା କରିଆସୁଛି। ବର୍ତ୍ତମାନ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ପ୍ରଥମ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପରମୁହୂତ୍ତର୍ର୍ରେ ଆୟୋଗ ପାଖରେ ଅଧିକ ବିଭିନ୍ନ ପଦବୀ ନିଯୁକ୍ତି ପାଇଁ ଅଧିକରଣପତ୍ର ଆସିଲେ, ସେହି କ୍ୟାଲେଣ୍ଡର ବର୍ଷରେ ଅନ୍ୟ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇପାରିବ।
ସୁରେନ୍ଦ୍ର କୁମାର କହିଥିଲେ, ଉଚ୍ଚ ମାଧ୍ୟମିକ (୧୦+୨)ସ୍ତର କିମ୍ବା ସମାନସ୍ତର ଅଧୀନସ୍ଥ ସ୍ବତନ୍ତ୍ର ସେବା ଓ ପଦବୀ ପାଇଁ ମିଳିତ ନିଯୁକ୍ତିି ପରୀକ୍ଷା ନିୟମାବଳୀ-୨୦୨୨ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି। ପୂର୍ବରୁ ଉଚ୍ଚ ମାଧ୍ୟମିକ(୧୦+୨) ସ୍ତର କିମ୍ବା ସମାନସ୍ତର ଅଧୀନସ୍ଥ ସ୍ବତନ୍ତ୍ର ସେବା ଓ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ-୨୦୨୨ର ସିଡୁଲ-୧ରେ ୧୧ ଗୋଟି ଭିନ୍ନ ପଦବୀ ଅନ୍ତର୍ଭୁକ୍ତ କରାଯାଇଥିଲା। ବର୍ତ୍ତମାନର ସଂଶୋଧନକ୍ରମେ ୨୦୨୨ର ନିୟମ-୩ରେ ଧାର୍ଯ୍ୟ କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ, ଉଚ୍ଚ ମାଧ୍ୟମିକ (୧୦+୨)ସ୍ତର କିମ୍ବା ସମାନସ୍ତର ଅଧୀନସ୍ଥ ସ୍ବତନ୍ତ୍ର ସେବା ଓ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ-୨୦୨୨ର ସିଡ୍ୟୁଲ-୧ରେ ୧ ଗୋଟି ନୂତନ ପଦବୀ ତଥା ସ୍ବରାଷ୍ଟ୍ର ବିଭାଗର ରାଜ୍ୟ ଅପରାଧବିଧି ବିଜ୍ଞାନାଗାର ଅଧୀନରେ ଥିବା କନିଷ୍ଠ ଅପରାଧବିଧି ସହାୟକ ପଦବୀକୁ ଅନ୍ତର୍ଭୁକ୍ତ କରାଯିବ; ଯାହାଫଳରେ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ସର୍ବମୋଟ ୧୨ ଗୋଟି ଭିନ୍ନ ପଦବୀ ଗୁଡ଼ିକୁ ମିଳିତ ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ ବୋଲି ସେ କହିଛନ୍ତି।

Share
Tags: odisha