ମୁମ୍ବାଇ,୨୧।୮: ମୁମ୍ବାଇର ପୱାଇ ଅଞ୍ଚଳରେ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଟ୍ରାନ୍ସଜେଣ୍ଡର ବେଶ ଧାରଣ କରି ଜଣେ ଏୟାର ହୋଷ୍ଟେସଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଆଶୀର୍ବାଦ ଦେବା ଏବଂ ନଜର ଉତାରିବାର ବାହାନା କରି ମହିଳାଙ୍କୁ ବଳାତ୍କାର କରାଯାଇଛି। ଘଟଣାର ମାତ୍ର ୪ ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।
ଅଭିଯୁକ୍ତର ପରିଚୟ ୨୮ ବର୍ଷୀୟ ଅନିଲ ଶେଷରାଓ ଶିନ୍ଦେ ବୋଲି ଜଣାପଡ଼ିଛି। ସେ ଶାଢ଼ି ପିନ୍ଧି ନିଜକୁ ଟ୍ରାନ୍ସଜେଣ୍ଡର ବୋଲି ପରିଚୟ ଦେଇଥିବା ଅଭିଯୋଗ ହୋଇଛି।
ଘଟଣାଟି ଅଗଷ୍ଟ ୧୮ ତାରିଖ ଦିନ ପ୍ରାୟ ୧୨ଟା ୨୦ ମିନିଟ ସମୟରେ ଘଟିଥିଲା। ସୁରକ୍ଷାକର୍ମୀଙ୍କୁ ବିଶ୍ୱାସ ଦେଇ ଅଭିଯୁକ୍ତ ବିଲ୍ଡିଂ ଭିତରକୁ ପ୍ରବେଶ କରିଥିଲା। ସେ ଅନେକ ଘରର ଦ୍ୱାର ମଧ୍ୟ ଠକ ଠକ କରିଥିଲେ। ଏୟାର ହୋଷ୍ଟେସ ଦ୍ୱାର ଖୋଲିବା ପରେ ଅଭିଯୁକ୍ତ ତାଙ୍କୁ ଖରାପ ନଜରରୁ ରକ୍ଷା କରିବାର ବାହାନା କରିଥିଲେ। ଏପରି କଲେ ହସ୍ପିଟାଲରେ ଚିକିତ୍ସାଧୀନ ତାଙ୍କ ସ୍ବାମୀ ସୁସ୍ଥ ହୋଇଯିବେ ବୋଲି ସେ ମହିଳାଙ୍କୁ କହିଥିଲେ। ମହିଳା ତାଙ୍କ କଥାରେ ବିଶ୍ୱାସ କରି ତାଙ୍କୁ ଘର ଭିତରକୁ ଆସିବାକୁ ଦେଇଥିଲେ।
ଖବର ଅନୁସାରେ, ଅଭିଯୁକ୍ତ ମହିଳାଙ୍କ ମୁହଁରେ ପାଣି ଛିଞ୍ଚିବା ସହ ତାଙ୍କ ମୁଣ୍ଡରେ ହାତ ରଖିଥିଲେ। ଭୟରେ ମହିଳା ନିଜ ବେଡରୁମ୍କୁ ପଶିବା ସମୟରେ ଅଭିଯୁକ୍ତ ମଧ୍ୟ ତାଙ୍କ ପଛେ ପଛେ ଭିତରକୁ ପଶିଯାଇଥିଲେ। ପରେ ଧମକ ଦେଇ ଅଭିଯୁକ୍ତ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ପୱାଇ ପୋଲିସ BNSର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରିଛି। ପୀଡ଼ିତା ରାତି ପ୍ରାୟ ୧୧ଟାରେ ପୋଲିସ ସହ ଯୋଗାଯୋଗ କରି FIR ଦାଖଲ କରିଥିଲେ। ଏହାପରେ ପୋଲିସ ଟିମ ଅଭିଯୁକ୍ତକୁ ଧରିବା ପାଇଁ ଅଞ୍ଚଳର CCTV ଫୁଟେଜ ଯାଞ୍ଚ କରିଥିଲା। ଫୁଟେଜରେ ଅଭିଯୁକ୍ତ ଶାଢ଼ି ପିନ୍ଧି ଏକ ଅଟୋ-ରିକ୍ସାରେ ଫେରାର୍ ହୋଇ ଠାଣେର କଲୱା ଅଞ୍ଚଳର ଖରେଗାଓଁର ଏକ ବସ୍ତିକୁ ଯାଉଥିବା ଦେଖାଯାଇଥିଲା । CCTV ବିଶ୍ଳେଷଣ ଓ ଟେକ୍ନିକାଲ ଇଣ୍ଟେଲିଜେନ୍ସର ସହାୟତାରେ ପୋଲିସ ଶାଢ଼ି ପିନ୍ଧିଥିବା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଥିଲା। ପ୍ରଥମେ ପୋଲିସ ଅଟୋ ଚାଳକଙ୍କୁ ଖୋଜି ବାହାର କରିଥିଲା। ତାଙ୍କଠାରୁ ଅଭିଯୁକ୍ତ କେଉଁଠାରେ ଓହ୍ଲାଇଥିଲେ ସେ ସମ୍ପର୍କରେ ତଥ୍ୟ ନେବା ପରେ ପୋଲିସ କଲୱାରୁ ଅଭିଯୁକ୍ତକୁ ଗିରଫ କରିଥିଲା।
ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ପ୍ରକୃତରେ ଟ୍ରାନ୍ସଜେଣ୍ଡର ନୁହେଁ। ସେ ଟ୍ରାନ୍ସଜେଣ୍ଡର ହେବାର ନାଟକ କରୁଥିଲେ। ଶାଢ଼ି ପିନ୍ଧି ଟ୍ରାନ୍ସଜେଣ୍ଡର ବେଶ ଧାରଣ କରି ସେ ଭିକ୍ଷା ମାଗୁଥିଲେ। ତାଙ୍କ ବିରୋଧରେ ବଳାତ୍କାର ଓ ଧମକ ଦେବା ସମେତ ଅନେକ ଅଭିଯୋଗ ଲଗାଯାଇଛି। ପୋଲିସ ଅନୁସାରେ, ଅନିଲ ଶିନ୍ଦେଙ୍କ ବିରୋଧରେ କଳା ଯାଦୁ ସମ୍ପର୍କିତ ଅତିରିକ୍ତ ଧାରା ମଧ୍ୟ ଲଗାଯାଇପାରେ। ବର୍ତ୍ତମାନ ମାମଲାର ତଦନ୍ତ ଜାରି ରହିଛି।

