ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ସେ ଏଠାକୁ ତାଲିମ ଲାଗି ଆସିଛନ୍ତି। ଆଗାମୀ ଦିନରେ ଉପଜିଲାପାଳ ଓ ଜିଲାପାଳ ହେବେ। ତେଣୁ କିପରି ସେହି ବଡ଼ ଦାୟିତ୍ୱକୁ ତୁଲାଯିବ ସେହି ସମୟରେ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟଙ୍କ ଦାୟିତ୍ୱ କାର୍ଯ୍ୟଧାରା କ’ଣ ରହିବ ଏହାସହ ରାଜସ୍ବ ସେବାଗତ କାର୍ଯ୍ୟ କ’ଣ ରହିବ ସେଥିନେଇ ଏଠାରୁ ବହୁ ଶିକ୍ଷା ଅର୍ଜନ କରିବେ। ଯାହାକି ତାଙ୍କର ପ୍ରଶାସନିକସେବା ଯୋଗାଇବାର କାର୍ଯ୍ୟରେ ବହୁ ସହାୟକ ହୋଇପାରିବ ଓ ତହସିଲଦାର ଭାବରେ ଲୋକଙ୍କ ସହ ମିଶି କିପରି କାର୍ଯ୍ୟ କରାଯିବ ତାହା ମଧ୍ୟରେ ଜାଣିବା ସହ ଏହି ତହସିଲରେ ରହିଥିବା ଲୋକଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେବାର କହି ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ଏହି ସମୟରେ ତହସିଲଦାର ବିନୋଦ କୁମାର ବେହେରା, ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀ ଉପସ୍ଥିତଥିବାବେଳେ ସମସ୍ତ କର୍ମଚାରୀ ଶୁଭେଚ୍ଛା ଜଣାଇଥିଲେ।

Dharitri – Odisha’s No.1 Odia Daily