ପଟ୍ଟାଙ୍ଗି,୩୦।୧(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଦେଇ ପଡୋଶୀ ଆନ୍ଧ୍ରକୁ ସଂଯୋଗ କରିଥିବା ୨୬ନଂ ଜାତୀୟ ରାଜପଥ ଘାଟି ରାସ୍ତାରେ ଚଳନ୍ତା ଟ୍ରକର ଚକା ଫାଟି ନିଆଁ ଲାଗି ଯାଇଥିଲା । ହେଲେ ସୌଭାଗ୍ୟବଶତଃ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଏବଂ ହେଲପର ।
ସୂଚନା ମୁତାବକ, ଶୁକ୍ରବାର ଭୋର ସକାଳୁ ପଟ୍ଟାଙ୍ଗିରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ ଟ୍ରକ୍ ଓଡ଼ିଶାର ସୀମାନ୍ତ ସୁଙ୍କି ପଞ୍ଚାୟତ ଅତିକ୍ରମ କରି ପ୍ରାୟ ୨ କିଲୋମିଟର ଯାଇଥିବା ବେଳେ ମୁଙ୍ଗାରଗୁମି ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ଉପରେ ଟ୍ରକଟିର ବାମ ପାର୍ଶ୍ଵ ଚକା ଫାଟି ଯାଇଥିଲା । ଫଳରେ ଏହି ସମୟରେ ଟ୍ରକରେ ନିଆଁ ଲାଗି ଯାଇଥିଲା । ଏହା ଦେଖି ଡ୍ରାଇଭର ଏବଂ ହେଲପର ଦୁହେଁ ଘଟଣା ସ୍ଥଳରୁ ଗୋଟିଏ କିଲୋମିଟର ଦୂରରେ ରହିଥିବା ସୁଙ୍କି ଥାନାକୁ ଖବର ଦେଇଥିଲେ । ଥାନାଅଧିକାରୀ ଚତୁର୍ଭୁଜ ନାୟକ ବ୍ଲକ୍ ସଦର ମହକୁମା ସ୍ଥିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।
ସେପଟେ ଟ୍ରକରେ ଲାଗିଥିବା ନିଆଁକୁ ଦେଖି ଘଟଣାସ୍ଥଳେ ଯାତାୟାତ କରୁଥିବା ଯଥା ପଟ୍ଟାଙ୍ଗି ଏବଂ ଆନ୍ଧ୍ର ଅଭିମୁଖେ ଆସୁଥିବା ସମସ୍ତ ଯାନବାହନ କିଛି ସମୟ ପାଇଁ ଅଟକି ରହିଥିଲା । ନିଆଁ ଆୟତ୍ତ ହେବା ପରେ ଅଟକି ରହିଥିବା ସମସ୍ତ ଯାନବାହନ ଚଳାଚଳରେ ସ୍ୱାଭାଭିକ ହୋଇଥିଲା । ଅନ୍ୟପକ୍ଷରେ ସୁଙ୍କି ପୋଲିସ ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳେ ପହଞ୍ଚି ଟ୍ରକ୍ ଚକାରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଟ୍ରକର ସମସ୍ତ ଚକା ଜଳି ଯାଇଥିବା ବେଳେ ଟ୍ରକର ଅନ୍ୟ ଅଂଶ ଗୁଡିକରେ କୈଣସି କ୍ଷତି ହୋଇ ନଥିବା ଜଣାପଡିଛି । ସେପଟେ ଏନେଇ ସୁଙ୍କି ପୋଲିସ୍ ଏବଂ ଅଗ୍ନିଶମ ବିଭାଗ ଦୁହେଁ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

