ପୁନଃ ମୂଲ୍ୟାୟନ ନ ହେଲେ ଆନ୍ଦୋଳନ

ଭୁବନେଶ୍ୱର, ୧୪।୩(ବ୍ୟୁରୋ): ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଟର୍ମ-୧ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଏହି ପରୀକ୍ଷା ଦେଇଥିବା ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଦ୍ୱିତୀୟ ଭାଷା ଓଡ଼ିଆରେ କମ୍‌ ମାର୍କ ଦିଆଯାଇଥିବା ବହୁ ଅଭିଭାବକ ଏବଂ ପରୀକ୍ଷାର୍ଥୀ ଅଭିଯୋଗ ଆଣିଛନ୍ତି। ଓଡ଼ିଆ ପରୀକ୍ଷାର୍ଥୀମାନେ ଅନ୍ୟାନ୍ୟ ବିଷୟରେ ଭଲ ନମ୍ବର ପାଇଥିବା ବେଳେ ୨ୟ ଭାଷାରେ ଅତ୍ୟନ୍ତ କମ୍‌ ମାର୍କ ହାସଲ କରିଛନ୍ତି। ତେଣୁ ଏହାର ସମାଧାନ ଲାଗି ସିବିଏସ୍‌ଇ ତଦନ୍ତ କରି ଏହି ବିଷୟର ଉତ୍ତରଖାତାର ପୁନଃ ମୂଲ୍ୟାୟନ(ରିଚେକିଂ) କରିବାକୁ ଦାବି ହୋଇଛି। ଯଦି ଛାତ୍ରୀଛାତ୍ରଙ୍କୁ ନ୍ୟାୟ ନ ମିଳେ ତେବେ ସୋମବାରଠାରୁ ଆନ୍ଦୋଳନ ହେବ ବୋଲି ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ସୂଚନା ଦେଇଛନ୍ତି।
ଭଟ୍ଟ କହିଛନ୍ତି ଯେ, ଛାତ୍ରୀଛାତ୍ର ସେମାନଙ୍କ ମାର୍କ ଦେଖିବା ସମୟରେ ଓଡ଼ିଆରେ କମ୍‌ ମାର୍କ ରହିଥିବା ଜାଣିଥିଲେ। ଅନେକ ଛାତ୍ରୀଛାତ୍ର ଠିକ୍‌ ଉତ୍ତର ଦେଇ ବି କମ୍‌ ମାର୍କ ପାଇଥିବା ଜଣାପଡ଼ିଛି। ପ୍ରଶ୍ନପତ୍ରର ୪ ନମ୍ବର ପ୍ରଶ୍ନ ରହିଛି ଗାନ୍ଧିଜୀ ଏବଂ ନେତାଜୀ ସୁଭାଷ ଚନ୍ଦ୍ରଙ୍କ ସ୍ବାଧୀନତା ସଂଗ୍ରାମ ଭିତରେ କି ପାର୍ଥକ୍ୟ ଥିଲା। ଏହାର ଉତ୍ତର ହେଉଛି ବି, ଅର୍ଥାତ୍‌ ନିରସ୍ତ୍ର ସତ୍ୟାଗ୍ରହ ସଂଗ୍ରାମ ଏବଂ ସଶସ୍ତ୍ର ସଂଗ୍ରାମ। କିନ୍ତୁ ପ୍ରଶ୍ନପତ୍ରର ଉତ୍ତର ପତ୍ରରେ ରହିଛି ଡି, ଅର୍ଥାତ୍‌ ପାରମ୍ପରିକ ସଂଗ୍ରାମ ଓ ଅତ୍ୟାଧୁନିକ ସଂଗ୍ରାମ। ଯାହା ସମ୍ପୂର୍ଣ୍ଣ ଭୁଲ୍‌। କେବଳ ୪ ନମ୍ବର ନୁହେଁ ୨୮, ୨୯, ୩୦, ୩୧ ଭଳି ୧୭ଟି ପ୍ରଶ୍ନର ଉତ୍ତର ପତ୍ର ଭୁଲ୍‌ ରହିଥିବା ସେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ସିବିଏସ୍‌ଇ ଆଞ୍ଚଳିକ ମୁଖ୍ୟଙ୍କୁ ଅବଗତ କରାଯାଇଥିଲେ ହେଁ ସମସ୍ୟାର ସମାଧାନ ହୋଇ ନାହିଁ। ମୂଲ୍ୟାଙ୍କନରେ ହୋଇଥିବା ତ୍ରୁଟିକୁ ତୁରନ୍ତ ସଂଶୋଧନ କରି ସିବିଏସ୍‌ଇ ପୁଣି ପରୀକ୍ଷା ଫଳ ପ୍ରକାଶ କରୁ ନଚେତ୍‌ ଗ୍ରେସ୍‌ ମାର୍କ ଦିଆଯାଉ। ନଚେତ ଆନ୍ଦୋଳନ କରାଯିବ ବୋଲି ଭଟ୍ଟ କହିଛନ୍ତି।