ଇଟାଭାଟି ମାଲିକଙ୍କ ଜୁଲମ୍‌: ଖାଇବାକୁ ନ ଦେଇ ପିଠିରେ ବାଜୁଛି ପାହାର: ପୁଅକୁ ଫେରାଇ ଆଣିବାକୁ ମା’ଙ୍କ…

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ପେଣ୍ଡରାବନ ଗାଁର ୨ ଦାଦନ ଶ୍ରମିକ ଅନ୍ୟ ରାଜ୍ୟରେ ନିର୍ଯାତନାର ଶିକାର ହେଉଥିବା ନେଇ ଶୁକ୍ରବାର ଜିଲା ଶ୍ରମିକ ମହାସଂଘ ସହ ଆବାହକ ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ୱରେ ନିର୍ଯ୍ୟାତିତାଙ୍କ ମା’ କସ୍ତୁରୀ ପରାଭୁଏ ଜିଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି।

ଏହାର ତଦନ୍ତ କରି ଶ୍ରମିକମାନଙ୍କୁ ଉଦ୍ଧାର କରାଯିବ ବୋଲି ଅତିରିକ୍ତ ଜିଲା ଶ୍ରମ ଅଧିକାରୀ ମନୋରଞ୍ଜନ ନାଏକ ପ୍ରତିଶ୍ରୁତି ଦେଇଛନ୍ତି। ସୂଚନା ମୁତାବକ ପେଣ୍ଡରାବନ ଗାଁର ପରମାନନ୍ଦ ପରାଭୁଏ (୩୦) ସ୍ତ୍ରୀ ଭାନୁମତୀ ପରାଭୁଏ (୨୫) ୨ ବର୍ଷର ଶିଶୁକୁ ଧରି ୩ମାସ ତଳେ ସିକନ୍ଦରାବାଦର ସାଙ୍ଗାରେଡ୍ଡୀ ଇଟାଭାଟିକୁ ଇଟା ତିଆରି ପାଇଁ ଦାଦନ ସର୍ଦ୍ଦାରଙ୍କ ସହାୟତାରେ ଯାଇଛନ୍ତି। ସେଠାରେ ଇଟାଭାଟି ମାଲିକ ଶ୍ରମିକମାନଙ୍କୁ ୨୪ ଘଣ୍ଟା କାମରେ ନିୟୋଜିତ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି। ଏପରି କି ଠିକ୍‌ ଭାବେ ଖାଇପାରୁ ନ ଥିବା ଫୋନରେ ପରିବାର ଲୋକଙ୍କୁ ଜଣାଇଛନ୍ତି। ଇଟାଭାଟି ମାଲିକଙ୍କୁ କହିଲେ ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି।

ମୋବାଇଲରେ କଥା କରାଇଦେଉ ନାହାନ୍ତି ବୋଲି ନିର୍ଯାତିତ ଦାଦନ ଶ୍ରମିକଙ୍କ ମା’ ଜିଲା ଅତିରିକ୍ତ ଶ୍ରମ ଅଧିକାରୀଠାରେ କୋହଭରା କଣ୍ଠରେ କହି ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି। ଏହି ସମୟରେ ଅଶୋକ ପରାଭୁଏ, ଜିହତ ରାମ ପରାଭୁଏ ପ୍ରମୁଖ ଉପସ୍ଥିତ ଥିଲେ।

Share