ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା ଏନେଇ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି । ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଯେ, ଏତଲାରେ ନିଜ ବୋହୂ ଅର୍ଥାତ୍ ହ୍ୟୁମାନ ସାଗରଙ୍କ ପତ୍ନୀଙ୍କ ନାମ ରହିଛି ।

ଥାନାରେ ଏତଲା ପରେ ମା’ ଗଣମାଧ୍ୟମକୁ ଆବେଗଭରା ମନ୍ତବ୍ୟ ଦେଇଛନ୍ତି । ପୁଅ ବିନା ମୋର ଆଉ କେହି ନାହିଁ କହି କାନ୍ଦି ପକାଇଲେ ମା’ । ପୁଅର ମୃତ୍ୟୁ ପାଇଁ ମୁଁ କାହାକୁ ଦୋଷ ଦେଉ ନାହିଁ, ତଦନ୍ତରେ ସତ ପଦାକୁ ଆସୁ । କଟକରୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର ବେଳେ ପୁଅ ଚାଲୁଥିଲା । ଗୋଟିଏ ଷ୍ଟ୍ରେଚରରୁ ଅନ୍ୟ ଷ୍ଟ୍ରେଚରକୁ ଚାଲି ଚାଲି ଯିବା କଥା ଦିନେଶ କହିଛି । ଏପରି ହଠାତ କଣ ହେଲା ଯେ ତା ଅର୍ଗାନ ଫେଲିଓର ହୋଇଗଲା ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

ଏହି ସବୁ ଘଟଣାକୁ ଦେଖିଲେ ପୁଅ ହ୍ୟୁମାନର ମୃତ୍ୟୁକୁ ନେଇ ମୋତେ ସନ୍ଦେହ ଲାଗୁଛି । ଅର୍ପିତା ଚୌଧୁରୀ ବେଶି ଘରକୁ ଆସୁଥିଲା, ତା ପାଇଁ ପୁଅ ଡିପ୍ରେସନରେ ଥିଲା । ବୋହୂ ନାଁ ମଧ୍ୟ ଏତଲାରେ ରହିଛି, ଏନେଇ ବୋହୂ ମୋତେ ଫୋନ୍‌ କରିଥିଲା । ମୁଁ କହିଲି ଯାହା ମୋ ମନରେ ଥିଲା ଲେଖିଛି, ପୋଲିସ ତଦନ୍ତ କରିବ । ବୋହୂ ଦୋଷୀ ହେଲେ ରହିବ, ନିର୍ଦ୍ଦୋଷ ହେଲେ ବି ରହିବ । ଯଦି ତଦନ୍ତ ଠିକ୍‌ ବାଟରେ ନ ଯାଏ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଫେରାଦ ହେବି ବୋଲି ମାଆ ଶେଫାଳି ସୁନା କହିଛନ୍ତି ।

ମା’ଙ୍କ ଅଭିଯୋଗ ଆଧାରରେ ମର୍କତ ନଗର ପୋଲିସ ମାମଲା ରୁଜୁ କରିଛି। BNS ୩୫୬/୨, ୬୧/୨ବି, ୩୧୮/୪, ୧୧୫/୨, ୩୫୧/ବି, ୩୦୫ଧାରାରେ ମାମଲା ରୁଜୁ ହୋଇଛି । ତେବେ ବୋହୂଙ୍କ ନାଁ ଏତଲାରେ ଲେଖିବା ପରେ ଚର୍ଚ୍ଚା ବଢିବାରେ ଲାଗିଛି । ଏବେ ଦେଖିବାକୁ ବାକି ରହିଲା ଯେ, ଘଟଣା ଉପରୁ କେବେ ପରଦା ହଟୁଛି ।