ହ୍ୟୁମାନଙ୍କ ଗୀତ ଶୁଣି ଷ୍ଟେଜ୍‌ରେ କାନ୍ଦି ପକାଇଲେ ମା’-ସ୍ତ୍ରୀ-ଝିଅ

ବଲାଙ୍ଗୀର,୮ା୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶାର ସୁନାମଧନ୍ୟ ଗାୟକ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ଼ର ବୟଜ ହାଇସ୍କୁଲ ପଡ଼ିଆରେ ଓଡ଼ିଶା କଳାକାର ଏକତା ମଞ୍ଚ ପକ୍ଷରୁ ରବିବାର ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଏଥିରେ ଓଡ଼ିଶାର ନାମୀଦାମୀ କଳାକାର ଯୋଗ ଦେଇଥିଲେ। ଏହି ଷ୍ଟେଜ୍‌ରେ ହ୍ୟୁମାନ ତାଙ୍କ ସୁଲିଳିତ କଣ୍ଠରେ ଗାଇଥିବା ଗୀତଗୁଡ଼ିକ ବାଜୁଥିଲା। ଯାହା ଶୁଣି ସଭାରେ ଉପସ୍ଥିତ ଥିବା ତାଙ୍କ ମା ଶେଫାଳି ସୁନା, ସ୍ତ୍ରୀ ଶ୍ରୀୟା ମିଶ୍ର ଏବଂ ଝିଅ କାନ୍ଦି ପକାଇଥିଲେ। ଉପସ୍ଥିତ ଥିବା ଦର୍ଶକମାନେ ମଧ୍ୟ ଏହି ଦୃଶ୍ୟ ଦେଖି ଭାବବିହ୍ବଳ ହୋଇପଡ଼ିଥିଲେ।

ହ୍ୟୁମାନଙ୍କ ମା’ କହିଛନ୍ତି, ସେ ଗଣମାଧ୍ୟମରେ ଯାହା କହିଛନ୍ତି, ତାହା ନିରାଟ ସତ୍ୟ । ସେ ପୁତ୍ର ବିଚ୍ଛେଦରୁ ମୁକୁଳି ପାରି ନ ଥିବାରୁ ଏଯାଏ FIR ଦେଇ ନାହାନ୍ତି କିମ୍ବା ଏ ବିଷୟରେ କୌଣସି ନିଷ୍ପତ୍ତି ନେଇ ପାରିନାହାନ୍ତି । ତେବେ ତାଙ୍କର ଶେଷ ଭରସା ବୋହୂ ଓ ନାତୁଣୀ । ହ୍ୟୁମାନଙ୍କ ମୃତ୍ୟୁ ପାଇଁ ମା’ ପୂର୍ବରୁ ଦୁଇ ଜଣ ମ୍ୟାନେଜର ଓ ଜଣେ ଗାୟିକାଙ୍କୁ ଦାୟୀ କରିଥିଲେ।

ଶ୍ରୀୟା ଶ୍ରଦ୍ଧାଞ୍ଜଳି ସଭା ପୂର୍ବରୁ ସ୍ବାମୀ ହ୍ୟୁମାନଙ୍କ ସମାଧି ପୀଠକୁ ଯାଇ ଭୋ ଭୋ ହୋଇ କାନ୍ଦିଥିଲେ। ମା’ ମଧ୍ୟ ପୁଅକୁ ବୋହୂ ଶ୍ରଦ୍ଧାଞ୍ଜଳି ଦେଇଥିବାରୁ ଏବଂ ବୋହୂ ଓ ନାତୁଣୀ ତାଙ୍କୁ ସମ୍ଭାଳିଥିବାରୁ ଭାବବିହ୍ବଳ ହୋଇ କାନ୍ଦିଥିଲେ। ସଭାରେ ଯୋଗଦେବା ପାଇଁ ଅଭିନେତା ଅନୁଭବ ମହାନ୍ତିଙ୍କ ସମେତ ଚଳଚ୍ଚିତ୍ର ଓ ସଂଗୀତ ଜଗତର ବହୁ ଜଣାଶୁଣା ବ୍ୟକ୍ତିବିଶେଷ ଟିଟିଲାଗଡ଼ରେ ପହଞ୍ଚିଥିଲେ।

Dharitri – Odisha’s No.1 Odia Daily

Share