ମହାକାଳପଡ଼ା,୪। ୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ବତିଘର ପଞ୍ଚାୟତ କୋଚିଳା ବେଲାରୀ ଗ୍ରାମର ଗୋବିନ୍ଦ ଗିରିଙ୍କ ପୁଅ ତାପସ ଗିରିଙ୍କୁ ୨ ବର୍ଷ ପୂର୍ବେ ହରିଆବାଙ୍କ ଗ୍ରାମର ସହଦେବ ଆଡିଙ୍କ ଝିଅ ମଞ୍ଜୁଲତା ବେରା ପ୍ରେମ ବିବାହ କରିଥିଲେ। ବିବାହ ପରେ ଶାଶୁଘଲୋକେ ଯୌତୁକ ପାଇଁ ଶାରୀରିକ ମାନସିକ ନିର୍ଯାତନା ଦେଉଥିଲେ। ଗରିବ ମା’ ବାପା ଝିଅକୁ ଅଧିକ ଯୌତୁକ ଦେବା ପାଇଁ ଅକ୍ଷମ ବୋଲି କୁହାଯାଇଛି। ନଭେମ୍ବର ଶେଷ ସପ୍ତାହରେ ୮ ମାସର ଗର୍ଭବତୀ ବୋହୂ ମଞ୍ଜୁଙ୍କ ପେଟକୁ ଶାଶୁ ଶକୁନ୍ତଳା ଗିରି ଗୋଇଠା ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବତିଘର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଅସମୟରେ ମଞ୍ଜୁ ଏକ ମୃତ ଶିଶୁ ଜନ୍ମ ଦେଇଥିଲେ। ମେଡିକାଲରୁ ଫେରି ଚିକିତ୍ସା ଅଭାବରୁ ତୁରନ୍ତ ଭୁବନେଶରରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଶାଶୁଘର ଲୋକମାନେ ସ୍ଥାନାନ୍ତର କରିଥିଲେ ମଧ୍ୟ ସେଠାରେ ନଭେମ୍ବର ୨୫ରେ ମଞ୍ଜୁଙ୍କର ମୃତ୍ୟୁ ହୋଇଥିଲା। ପରେ ଶାଶୁ ଘର ଲୋକେ ତରବର ହୋଇ ମୃତଦେହ ବ୍ୟବଚ୍ଛେଦ ନ କରି ବତିଘରକୁ ଆଣିଥିଲେ। ପରେ ଉକ୍ତ ଥାନା ଅଧୀନ ହରିଆବାଙ୍କ ଗ୍ରାମ ମଞ୍ଜୁଙ୍କ ବାପଘର ଲୋକମାନେ ଝିଅ ମୃତ୍ୟୁ ଖବର ପାଇ ପହଞ୍ଚିଲା ବେଳକୁ ମଞ୍ଜୁଙ୍କୁ ତାଙ୍କ ମା’ ବାପାଙ୍କୁ ଦେଖାଇଲେ ନାହିଁ। ପରେ ଶାଶୁଘର ଲୋକମାନେ ମୃତ ମଞ୍ଜୁଙ୍କୁ ସଂସ୍କାର କରିଥିଲେ। ଏ ନେଇ ମଞ୍ଜୁଙ୍କ ବାପା ସହଦେବ ଆଡି ଜମ୍ବୁ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ.୨୪୮/୨୫ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ସୌମ୍ୟ ରଞ୍ଜନ ବିଶ୍ବାଳଙ୍କୁ ପଚାରିବାରୁ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଚାଲିଛି ବୋଲି କହିଛନ୍ତି।