ଉଦ୍ଧାର ଛୁଆହାତୀକୁ ଗ୍ରହଣ କରୁନି ମା’ ହାତୀ, ଚିନ୍ତାରେ ବନ ବିଭାଗ

କେନ୍ଦୁଝର,୩୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଅନ୍ତର୍ଗତ ସୁକଡୋଳା ଗ୍ରାମ ନିକଟ ଜଙ୍ଗଲରୁ ଏକ ଗାତରୁ ଉଦ୍ଧାର କରିଥିବା ହାତୀ ଛୁଆକୁ ମା’ ହାତୀ ଗ୍ରହଣ କରୁ ନ ଥିବାରୁ ବନ ବିଭାଗ ଚିନ୍ତାରେ ରହିଛି। ହାତୀ ଛୁଆ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ହାତୀ ଦଳରେ ଛୁଆକୁ ମିଶାଇବାକୁ ଉଦ୍ୟମ ଜାରି ରଖିଛି ବନ ବିଭାଗ।
ପ୍ରକାଶ ଯେ, ଗତ ୨୮ ତାରିଖରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବନ ବିଭାଗ ମାଟି ଆଳୁ ଖୋଳିଥିବା ଏକ ଗାତରୁ ଏକ ମାଈ ହାତୀ ଛୁଆକୁ ବନ ବିଭାଗ କର୍ମଚାରୀ ଉଦ୍ଧାର କରି ଦଳରେ ଛାଡ଼ି ଦେଇଥିଲେ। କିନ୍ତୁ ତାଙ୍କୁ ଦଳ ଗ୍ରହଣ କରିଲା ନାହିଁ। ଗାତରେ ପଡ଼ିଥିବାବେଳେ ମା’ ହାତୀ ଗାତ ପାଖରେ ଭୋକ ଶୋଷରେ ଅପେକ୍ଷା କରୁଥିଲା। ଏହାକୁ ଦେଖି ବନ ବିଭାଗ ସନ୍ଦେହରେ ଉକ୍ତ ସ୍ଥାନକୁ ଯାଇ ଦେଖିବା ପରେ ବନ ବିଭାଗକୁ ଜଣାଇଥିଲେ। ବନ ବିଭାଗ କର୍ମଚାରୀ ଓ ପଶୁ ଚିକିତ୍ସକ ଘଟଣାସ୍ଥଳକୁ ଯାଇ ଉଦ୍ଧାର କର ଛାଡ଼ି ଦେଇଥିଲେ। କିନ୍ତୁ ହାତୀ ଛୁଆକୁ ମା’ ହାତୀ କିମ୍ବା ଦଳ ଗ୍ରହଣ ନ କରିବାରୁ ହାତୀ ଛୁଆ ଉପରେ ନଜର ରଖିଥିବା ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରି ରେଞ୍ଜ କାର୍ଯ୍ୟାଳୟକୁ ଆଣି ଆସିଥିଲେ।

ତେବେ ହାତୀ ଦଳ ଯାତ୍ରା ଗ୍ରାମରୁ ୧୨ କିମି ଦୂରରେ ଥିବା ଦେଖି ବନ ବିଭାଗ ଛୁଆ ହାତୀକୁ ନେଇ ତାଙ୍କ ନିକଟରେ ଛାଡ଼ି ଦେଇଥିଲେ। ତେବେ ହାତୀ ଛୁଆ ୪ କିମି ଦଳ ପଛେ ପଛେ ଚାଲିବା ପରେ ଦଳ ଓ ମା’ ହାତୀ ଗ୍ରହଣ ନ କରିବାରୁ ଅଟକି ଯାଇଥିଲା।

ବନ ବିଭାଗ ହାତୀ ଛୁଆର ସଠିକ୍‌ ଖାଦ୍ୟପେୟ ଦେବା ସହ ଯତ୍ନ କରିଥିଲେ। ତାକୁ କ୍ଷୀର ଦିଆଯାଇଥିଲା ଏବଂ ସେ ପିଇଥିଲା। ଗତକାଲି ରାତିରେ ବନ ବିଭାଗର ବିଶେଷଜ୍ଞ ଟିମ୍‌ ହାତୀଛୁଆକୁ ବିଭିନ୍ନ ପଦ୍ଧତିରେ ପୁଣି ଦଳରେ ମିଶାଇବାକୁ ଉଦ୍ୟମ କରି ବ୍ୟର୍ଥ ହୋଇଥିଲେ। ମଣିଷ ସଂସ୍ପର୍ଶରେ ଆସିବା କାରଣରୁ ମା’ ହାତୀ ଓ ହାତୀ ଦଳ ହାତୀଛୁଆକୁ ଗ୍ରହଣ କରୁନାହିଁ ବୋଲି ମତ ପ୍ରକାଶ ପାଉଛି। ହାତୀଛୁଆକୁ ନ ଛୁଇଁ ସ୍ବତନ୍ତ୍ର ବନ୍ୟପ୍ରାଣୀ ବୁହା ଗାଡ଼ିରେ ହାତୀଛୁଆକୁ ନେଇ ଦଳରେ ମିଶାଇବାକୁ ପ୍ରଚେଷ୍ଟା କରାଯାଇଥିଲା ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛ। ତେବେ ହାତୀଛୁଆଟି ଦଳରେ ମିଶାଇବା ପାଇଁ ଆଜି ଶେଷ ଉଦ୍ୟମ କରାଯିବ। ନଚେତ୍‌ ମୁଖ୍ୟପ୍ରାଣୀ ବନସଂରକ୍ଷକଙ୍କ ପରାମର୍ଶରେ ତାଙ୍କୁ ପଦ୍ମପୁର କିମ୍ବା ଚନ୍ଦକାକୁ ପଠାଇ ଦିଆଯିବ ବୋଲି ଡିଏଫ୍‌ଓ ଧନରାଜ ଏଚ୍‌.ଡି କହିଛନ୍ତି।

Dharitri – Odisha’s No.1 Odia Daily

Share
Tags: calfelephant